Categories: ଖେଳ

ବାହାରିନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ : ଟପ୍‌ ସିଡ୍‌ ଜାସନଙ୍କୁ ହରାଇ ପ୍ରିୟାଂଶୁ ଚାମ୍ପିୟନ

ଇସା ଟାଉନ(ବାହାରିନ), ୧୫।୧୦(ପି.ଟି.)-
ଭାରତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଭା ପ୍ରିୟାଂଶୁ ରାଜାଓ୍ବତ କ୍ୟାରିୟରରେ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସୋମବାର ଶେଷ ହୋଇଥିବା ବାହାରିନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ସିରିଜର ଫାଇନାଲରେ ସେ ଟପ୍‌ ସିଡ୍‌ କାନାଡ଼ାର ଜାସନ ଆନ୍ଥୋନୀ ହୋ-ଶୁଇଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ୧୭ ବର୍ଷୀୟ ଭାରତୀୟ ପ୍ରିୟାଂଶୁ ପ୍ରଥମ ସେଟ୍‌ରେ ପରାଜିତ ହୋଇଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରି ୧୬-୨୧, ୨୧-୭, ୨୧-୧୨ ପଏଣ୍ଟରେ ଜାସନଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ପ୍ରିୟାଂଶୁ ପ୍ରି-କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ସିଡ୍‌ ଆଦେ ରେସ୍କି ଡ୍ବିକାୟୋଙ୍କୁ ହରାଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ବାହାରିନ ବ୍ୟାଡ୍‌ମିଣ୍ଟନ ଟାଇଟଲ ଜିତିବାରେ ସେ ଅନ୍ୟ ଭାରତୀୟ ଖେଳାଳି ସମୀର ବର୍ମା, ସୌରଭ ବର୍ମା, ସାଇ ପ୍ରଣୀଥ, ଶୁଭଙ୍କର ଦେ ଓ ଗୁରୁ ସାଇଦତ୍ତଙ୍କ କ୍ଲବରେ ଯୋଗ ଦେଇଛନ୍ତି।
ଜୁହି-ଭେଙ୍କଟଙ୍କୁ ଟାଇଟଲ
ଭାରତୀୟ ମିକ୍ସଡ ଡବଲ୍ସ ଯୋଡ଼ି ତଥା ଟପ୍‌ ସିଡ୍‌ ଜୁହି ଦେବଗନ ଓ ଭେଙ୍କଟ ଗୌରବ ପ୍ରସାଦ ପ୍ରଭାବୀ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଏହି ଯୋଡ଼ି ଥାଇଲାଣ୍ଡର ପାନ୍ନାଓ୍ବତ ଥିରାପନିତୁନ ଓ କାନ୍ୟାନତ ସୁଦଚୋଇଚୋମଙ୍କୁ ୨୧-୧୮, ୨୧-୧୬ ପଏଣ୍ଟରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଇରା ଶର୍ମା ୧୪-୨୧, ୨୨-୨୪ ପଏଣ୍ଟରେ ଇଣ୍ଡୋନେସିଆର ଶ୍ରୀ ଫତ୍‌ମାଓ୍ବତୀଙ୍କଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଦ୍ୱିତୀୟ ସିଡ୍‌ ଭାରତୀୟ ଡବଲ୍ସ ଯୋଡ଼ି ରୋହନ କପୁର ଓ ସୌରଭ ଶର୍ମା ଫାଇନାଲରେ ଥାଇଲାଣ୍ଡର ପ୍ରାଦ୍‌ ତାଙ୍ଗଶ୍ରୀପାପେଫାନ ଓ ଆପିଚାସିତ ତେରାଓ୍ବିଓ୍ବାତଙ୍କଠାରୁ ହାରି ରନର୍ସଅପ୍‌ ହୋଇଛନ୍ତି।

Share