Categories: ଖେଳ

ବାସନ୍ଦ ସତ୍ତ୍ୱେ ବାଂଲାଦେଶ ତ୍ରି-ରାଷ୍ଟ୍ରୀୟ ସିରିଜରେ ଜିମ୍ବାଓ୍ବେ ସାମିଲ

ଢାକା, ୮।୮ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ବାସନ୍ଦ ସତ୍ତ୍ୱେ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେକୁ ନେଇ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆୟୋଜନ କରିବ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)। ଆସନ୍ତା ସେପ୍ଟେମ୍ବର ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜରେ ୩ୟ ଦଳ ଭାବେ ଆଫଗାନିସ୍ତାନ ଅଂଶଗ୍ରହଣ କରିବ ବୋଲି ବିସିବିର ଜଣେ ଅଧିକାରୀ ଗୁରୁବାର ପ୍ରକାଶ କରିଛନ୍ତି। ସରକାରଙ୍କ ହସ୍ତକ୍ଷେପରୁ କ୍ରିକେଟ୍‌କୁ ଦୂରେଇ ରଖିବାରେ ଜିମ୍ବାଓ୍ବେ ବିଫଳ ହେବାପରେ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସି ଏହି ଆଫ୍ରିକୀୟ ରାଷ୍ଟ୍ରକୁ ବାସନ୍ଦ କରିଥିଲା। ଆଇସିସିର ଏହି ନିଷ୍ପତ୍ତି ଫଳରେ ଜିମ୍ବାଓ୍ବେ ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। ‘ଆମକୁ ଅଫିସିଆଲଙ୍କ ଦ୍ୱାରା ଜଣାଇ ଦିଆଯାଇଥିଲା କି ଜିମ୍ବାଓ୍ବେ ଦ୍ୱିପାକ୍ଷିକ ସିରିଜ ଖେଳିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଆଇସିସି ଇଭେଣ୍ଟରୁ ଏହି ରାଷ୍ଟ୍ରକୁ ବାସନ୍ଦ କରାଯାଇଛି। ଏହି କାରଣରୁ ଆମେ ତ୍ରି-ରାଷ୍ଟ୍ରୀୟ ସିରିଜରେ ଜିମ୍ବାଓ୍ବେକୁ ସାମିଲ କରିଛୁ’ ବୋଲି ବିସିବି ମୁଖପାତ୍ର ଜଲାଲ୍‌ ୟୁନୁସ କହିଛନ୍ତି। ସେପ୍ଟେମ୍ବରରେ ବାଂଲାଦେଶ ମୁଖ୍ୟତଃ ଆଫଗାନିସ୍ତାନ ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ଜିମ୍ବାଓ୍ବେ ବୋର୍ଡ ଅନୁରୋଧ ପରେ ଏହାକୁ ସାମିଲ କରାଯାଇ ତ୍ରି-ରାଷ୍ଟ୍ରୀୟ ସିରିଜରେ ରୂପାନ୍ତରିତ କରାଗଲା ବୋଲି ଏହି ଅଧିକାରୀ ଜଣଙ୍କ କହିଛନ୍ତି। ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଘରୋଇ ବାଂଲାଦେଶ ବିପକ୍ଷରେ ଚିଟ୍ଟାଗଙ୍ଗରେ ଆଫଗାନିସ୍ତାନ ଏକ ଟେଷ୍ଟ ମ୍ୟାଚ୍‌ ଖେଳିବ। ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ଟେଷ୍ଟ ମ୍ୟାଚ୍‌ ହେବ। ଏହାପରେ ତ୍ରି-ରାଷ୍ଟ୍ରୀୟ ସିରିଜ ଆରମ୍ଭ ହେବ।

Share