ବାଲୁଗାଁରେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା, ୨ ଅଟକ

ବାଲୁଗାଁ,୧୫।୧୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅନ୍ତର୍ଗତ ୫ନଂ.ଓ୍ବାର୍ଡ ଅଧୀନ ଗଙ୍ଗାନଗର ଅଞ୍ଚଳରେ ଶନିବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତ ଛାତ୍ରୀ ହେଲେ ରାମଚନ୍ଦ୍ର ବେହେରାଙ୍କ ଝିଅ ଶିବାନୀ(୧୭)। ସେ ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀ। ପ୍ରକାଶ ଯେ, ରାତି ପ୍ରାୟ ୯ଟା ସମୟରେ ଶିବାନୀ ଘରେ ବସି ପାଠ ପଢୁଥିବାବେଳେ ତାଙ୍କ ଭାଉଜ ବାରିପଟେ ରୋଷେଇ କରୁଥିଲେ। ତେବେ କୌଣସି କାରଣ ନେଇ ଶିବାନୀ ବାରିପଟକୁ ଯାଇଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ଦୁର୍ବୃତ୍ତ ହଠାତ୍‌ ତାଙ୍କ ପାଖକୁ ଚାଲିଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇ ଫେରାର ହୋଇଯାଇଥିଲା। ଶିବାନୀ ଚିତ୍କାର କରିବାରୁ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାକୁ ନେଇଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ହତ୍ୟାକାଣ୍ଡର ତଦନ୍ତ କରୁଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସନ୍ଦେହରେ ପୋଲିସ ୨ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।