Categories: ଖେଳ

‘ବାଲା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ’

ନୂଆଦିଲ୍ଲୀ, ୧୭ା୫ (ପି.ଟି.)-ବାଲା ଦେବୀ ଦେଶର ଅନ୍ୟ ମହିଳା ଫୁଟ୍‌ବଲରଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ୍ଲ ପଟେଲ। ବିଦେଶରେ ପ୍ରଫେସନାଲ ଲିଗ୍‌ ଖେଳିବାରେ ମଣିପୁରର ତଥା ଜାତୀୟ ଦଳର ଷ୍ଟ୍ରାଇକର ବାଲା ଭାରତର ପ୍ରଥମ ମହିଳା ଖେଳାଳି। ସେ ସ୍କଟିଶ ପ୍ରିମିୟର ଲିଗ୍‌ କ୍ଲବ ରେଞ୍ଜର୍ସ ଦଳ ସହିତ ଚୁକ୍ତି କରିଛନ୍ତି। ପଟେଲ ସମସ୍ତ ବୟସବର୍ଗର ଜାତୀୟ ଖେଳାଳିଙ୍କ ସହ ବାର୍ତ୍ତାଳାପ ଅବସରରେ ବାଲା ଦେବୀଙ୍କୁ ଲକ୍ଷ୍ୟକରି କହିଥିଲେ, ତୁମର ସଫଳତାକୁ ନେଇ ଆମେ ଗର୍ବିତ। ଉଦୀୟମାନ ଫୁଟ୍‌ବଲରଙ୍କ ଲାଗି ତୁମେ ଦିଗ୍‌ଦର୍ଶକ ପାଲଟିଛ। ଆମ ମହିଳା ଫୁଟ୍‌ବଲରମାନେ କୌଣସି ଗୁଣରେ କମ୍‌ ନୁହଁନ୍ତି ବୋଲି ତୁମେ ପ୍ରମାଣ କରି ଦେଖାଇଛି। ବର୍ତ୍ତମାନ ଗ୍ଳାସ୍‌ଗୋଠାରେ ଥିବା ବାଲା ଦେବୀ କହିଥିଲେ ଦକ୍ଷତା ବୃଦ୍ଧି ପାଇଁ ଜାତୀୟ ଦଳ ସହ ବିଦେଶ ଟୁର୍‌ ଦ୍ୱାରା ମୋ ଖେଳରେ ଯଥେଷ୍ଟ ଉନ୍ନତି ଘଟିପାରିଛି। ୨୦୧୮-୧୯ରେ ଆମେ ଅନେକ ଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଛୁ। କ୍ୟାମ୍ପରେ ସମୟ ଦେଇଛୁ। ଜଣେ ଖେଳାଳି ହିସାବରେ ଏହା ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଛି। ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁ ବିଦେଶ କ୍ଲବ ସହିତ ଚୁକ୍ତି ସମ୍ଭବ ହୋଇପାରଛି। ବିଦେଶ ଟୁର୍‌ରେ ଗୋଲକିପର ଅଦିତି ଚୌହାନଙ୍କ ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଥିଲା। ଏଆଇଏଫ୍‌ଏଫ୍‌ ସଭାପତିଙ୍କୁ ସେ କହିଥିଲେ ଦକ୍ଷତାବୃଦ୍ଧି ଟୁର୍‌ ପାଇଁ ମୁଁ ଦଳର ପ୍ରତ୍ୟେକ ଖେଳାଳିଙ୍କ ତରଫରୁ ଧନ୍ୟବାଦ ଦେବି। ଦଳର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଘଟିଛି। ମନୋବଳ ଦୃଢ ହେବା ସହ ଆମେ ଅଧିକ ପରିପକ୍ୱ ହୋଇପାରିଛୁ। ଷ୍ଟ୍ରାଇକର ଡାଙ୍ଗ୍‌ମେଇ ଗ୍ରେସ୍‌ କହିଛନ୍ତି, ଆମେ ଯେତେ ଅଧିକ ଖେଳିବାରୁ ଆମର ସେତେ ଉନ୍ନତି ଗଟିବ। ଭବିଷ୍ୟତରେ ଅଧିକରୁ ଅଧିକ ମ୍ୟାଚ ଆୟୋଜନ ହେବା ଦରକାର। କୋଭିଡ୍‌-୧୯ ମହାମାରୀ ବେଳେ ଖେଳାଳିମାନଙ୍କ ମାନସିକ ଅବସ୍ଥା ଜାଣିବା ଲାଗି ପଟେଲ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବେ ବାର୍ତ୍ତାଳାପ କରିଥିଲେ। ଭାରତୀୟ ପୁରୁଷ ଦଳର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ୍‌ ଲକ୍‌ଡାଉନ୍‌ ଚାଲିଥିବାରୁ ପ୍ରତ୍ୟେକେ ନିଜକୁ ଯଥାସମ୍ଭବ ଫିଟ୍‌ ରଖିବାକୁ ଚେଷ୍ଟା କରିବା ଉଚିତ୍‌। ଆମ ହାତ ପାହାନ୍ତାରେ ଯାହାନାହିଁ ତାହାକୁ ଆମେ ନିୟନ୍ତ୍ରଣ କରିପାରିବା ନାହିଁ। ମାତ୍ର ନିଜକୁ ଫିଟ୍‌ ରଖିବା ଲାଗି ସମୟର ଉପଯୋଗ କରିପାରିବ।

Share