Categories: ଖେଳ

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୨୦।୨ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌ ଭାରତୀୟ ଖେଳାଳି ସାଇନା ନେହ୍ବାଲ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍‌ରେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ୨୧-୧୬, ୨୧-୧୪ ସିଧାସଳଖ ଗେମ୍‌ରେ ବିଶ୍ୱ ମାନ୍ୟତାର ୪୨ ନମ୍ବର ସ୍ଥାନରେ ରହିଥିବା ଜର୍ମାନୀର ଭୋନେ ଲି’ଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ସାଇନାଙ୍କୁ ମାତ୍ର ୩୫ ମିନିଟ୍‌ ସମୟ ଲାଗିଥିଲା। ତେବେ ପୁରୁଷ ସିଙ୍ଗଲ୍ସରେ ଏଚ୍‌.ଏସ୍‌. ପ୍ରଣୟଙ୍କୁ ନିରାଶ ହେବାକୁ ପଡ଼ିଛି। ପ୍ରଣୟ ୧୮-୨୧, ୧୫-୨୧ ସିଧାସଳଖ ଗେମ୍‌ରେ ମାଲେସିଆର ଲିଉ ଡାରେନଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମିକ୍ସଡ ଡବଲ୍ସରେ ଭାରତକୁ କିନ୍ତୁ ସଫଳତା ମିଳିଛି। ପ୍ରଣବ ଚୋପ୍ରା ଓ ଏନ୍‌. ସିକ୍କି ରେଡ୍ଡୀ ଯୋଡ଼ି ୧୦-୨୧, ୨୧-୧୬, ୨୧-୧୭ ଗେମ୍‌ରେ ମାଥିଆସ କ୍ରିଷ୍ଟିଆନସେନ ଓ ଆଲେକ୍ସଜାଣ୍ଡ୍ରା ବୋଜେ ଯୋଡ଼ିଙ୍କୁ ହରାଇ ଦେଇଛନ୍ତି।

Share