Categories: ଖେଳ

ବାର୍ସିଲୋନା ଛାଡ଼ିପାରିବେ ମେସି

ମାଡ୍ରିଡ୍‌, ୭।୯(ଏଏଫ୍‌ପି)- ସ୍ପାନିଶ ଦଳ ଆର୍ଜେଣ୍ଟିନା ଖେଳାଳି ଲିଓନେଲ ମେସିଙ୍କ ଭବିଷ୍ୟତ ନେଇ ଚିନ୍ତିତ ନୁହନ୍ତି ବାର୍ସିଲୋନା ସଭାପତି ଯୋସେପ ମାରିଆ ବାର୍ଟୋମେ। ମେସି ଚଳିତ ସିଜନ ଶେଷରେ କ୍ଲବ ଛାଡ଼ିପାରିବେ। ୫ ଥର ବାଲୋନ ଡି’ଅର ପୁରସ୍କାର ପ୍ରାପ୍ତ ୨୦୧୭ରେ ବାର୍ସିଲୋନା ସହ ୪ ବର୍ଷୀୟା ଚୁକ୍ତି କରିଥିଲେ। ଏହି ଚୁକ୍ତି ଶେଷ ହେବା ପରେ ମେସି କ୍ଲବ ଛାଡ଼ିପାରିବେ ବୋଲି ସଭାପତି ଯୋସେପ ଏକ ଚ୍ୟାନେଲକୁ କହିଛନ୍ତି। ଆଣ୍ଡ୍ରେସ ଇନଏଷ୍ଟା, ଜାଭି ଓ କାର୍ଲେସ ପୟଲଙ୍କ ସହ ସମାନ ଘଟିଥିଲା। ସେମାନଙ୍କୁ ନିଜ ନିଷ୍ପତ୍ତି ନେବାର ସ୍ବାଧୀନତା ରହିଛି। ଏଥିପାଇଁ ଚିନ୍ତିତ ହେବା ଉଚିତ ନୁହେଁ। ମେସି ୨୦୨୧ ପର୍ଯ୍ୟନ୍ତ ଓ ପରେ ମଧ୍ୟ ବାର୍ସିଲୋନା ପାଇଁ ଖେଳନ୍ତୁ ବୋଲି ସେ ଆଶା ପ୍ରକଟ କରିଛନ୍ତି। ମେସି ଆମ ଦଳର ରେକର୍ଡ ଗୋଲ ସ୍କୋରର। ସେ ଏବେ ଗୋଇଠି ଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ଅନୁପସ୍ଥିତିରେ ଦଳ ସଂଘର୍ଷ କରୁଛି। ଦଳ ଚଳିତ ସିଜନରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳି କେବଳ ୪ ପଏଣ୍ଟ ପାଇଛି।

Share