ବାପା ପଡ଼ିଯିବା ଖବର ପାଇ ବି ଶୁଟିଂସେଟ୍‌ ଛାଡ଼ିପାରି ନ ଥିଲି

ସମ୍ବଲପୁରୀ ଆଲବମର ଜଣେ ଆଗଧାଡ଼ିର ଅଭିନେତା ଭାରତଗୌରବ ଦାଶ। ମାଆ ଗୀତାଞ୍ଜଳି ଓ ବାପା ଭିକାରିଚରଣ ଦାଶଙ୍କ ସୁଯୋଗ୍ୟ ସନ୍ତାନ ଭାରତଗୌରବ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର କୋଣ ଅନୁକୋଣରେ ନିଜସ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସମ୍ବଲପୁର ଜିଲା ରେଢ଼ାଖୋଲରେ ୧୯୭୭ ମସିହାରେ ଜନ୍ମିତ ଏହି ସଫଳ ଅଭିନେତା ପିଲାଦିନୁ ବାପା ଓ କାକାଙ୍କ ପ୍ରେରଣାରେ ନୃତ୍ୟ, ଅଭିନୟ ପ୍ରତି ଆକୃଷ୍ଟ ହୋଇ ଅଡିଓ ପ୍ରୋଗ୍ରାମ ପ୍ରଡକ୍ସନରେ ପିଜି ଡିପ୍ଲୋମା ଶେଷ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପ୍ରଦର୍ଶନ କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଜଣେ ସଫଳ ନୃତ୍ୟଗୁରୁ, ଆଲବମ ଅଭିନେତା, ଓଡ଼ିଆ ସିନେମା ନିର୍ମାତା ଭାବେ ଜାତୀୟସ୍ତରୀୟ କଳା ଉତ୍ସବରେ ଜୁରି ପୁରସ୍କାର ପାଇଥିବା ଭାରତଗୌରବଙ୍କ ଅନୁଭୂତିରୁ କିଛି..

ସଂପ୍ରତି ସମ୍ବଲପୁର ଜିଲା ଖୁଲିଆ ସେବାଶ୍ରମ ସ୍କୁଲରେ କଳା ପ୍ରଶିକ୍ଷକ ଥିବା ତଥା୧୫୦ରୁ ଊର୍ଦ୍ଧ୍ୱ ଆଲବମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଭାରତଗୌରବ ନିଜ ଜୀବନର ଅନୁଭୂତି ସମ୍ପର୍କରେ କୁହନ୍ତି, ଜୀବନ ଅଛି ତ’ ଅନେକ ଅନୁଭୂତି ରହିଛି। ସେଥିମଧ୍ୟରୁ ବଲାଙ୍ଗିରଠାରେ ଶୁଟିଂ ସମୟର ଅନୁଭୂତି ମୋର ସବୁଦିନ ମନେ ରହିବ। ବଲାଙ୍ଗିରରେ ଏକ ଆଲବମ ଶୁଟିଂ ଚାଲିଥିବା ବେଳେ ସମ୍ବଲପୁରରୁ ମାଆଙ୍କ ଫୋନ କଲ୍‌ ଆସିଲା। ଖୁବ୍‌ ବ୍ୟସ୍ତ ବିବ୍ରତ ଥିଲେ ସେ। ବାପା ବାଥ୍‌ରୁମରେ ପଡିଯାଇଛନ୍ତି ବୋଲି କହିଲେ। ଏ କଥା ଶୁଣିବା ପରେ ମୋ ମନ ବିଚଳିତ ହୋଇଯାଇଥିଲା। ଶୁଟିଂରେ ଆଉ ମନ ଲାଗି ନ ଥିଲା। ଅତ୍ୟନ୍ତ ଧୈର୍ଯ୍ୟହରା ହୋଇ ପଡିଥିଲି। କିନ୍ତୁ କଳାକାର ଜୀବନ ସବୁ ବେଳେ ସଂଘର୍ଷମୟ ଭାବି କୋହକୁ ଚାପି ରଖିଥିଲି ଶୁଟିଂ ଶେଷ ପର୍ଯ୍ୟନ୍ତ। ରାତ୍ରି ୨ଟାରେ ଶୁଟିଂ ଶେଷ ହେଲା। ବଲାଙ୍ଗିରରୁ ସମ୍ବଲପୁର ଆସିବା କଷ୍ଟକର ବ୍ୟାପାର ଥିଲା। କିନ୍ତୁ ରାତି ୨ଟା ୩୦ ମିନିଟ୍‌ରେ ଏକ ଡିଜେଲ ଟ୍ୟାଙ୍କର ଅଟକାଇ ସମ୍ବଲପୁର ଆସିଥିଲି। ଶୁଟିଂ ସେଟର ସମସ୍ତେ ମନା କରୁଥିଲେ। ଆଲବମ ସୁପରଷ୍ଟାର ପୁଣି ଡିଜେଲ ଟ୍ୟାଙ୍କରରେ ଯିବ। ଅନ୍ୟମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ସେହି ଗାଡିରେ ସମ୍ବଲପୁର ଆସି ଘରେ ପହଞ୍ଚତ୍ଲି। ସିଧା ବାପାଙ୍କ ପାଖକୁ ଯାଇ ଦେଖିଲି, ବାପା ସେତେବେଳ ଯାଏ ବୋଧହୁଏ ଶୋଇ ନ ଥିଲେ। ନିଦ ଭାଙ୍ଗି ସତେ ଯେମିତି ସେ ମୋ ଅପେକ୍ଷାରେ ଥିଲେ। ମତେ ଦେଖି ଚେନାଏ ହସି ଦେଇଥିଲେ। ତାଙ୍କର ସେହି ଚେନାଏ ହସ ଆଜି ବାପାଙ୍କ ଅନୁପସ୍ଥିତିରେ ବି ମୋତେ ସବୁଦିନ ପ୍ରେରଣା ଦେଇ ଚାଲିଛି।

Share