ବାପାଙ୍କ ଏଟିଏମ୍‌ କାର୍ଡ ଆଣିବାକୁ ଯାଇ ଫେରିଲେନି ୩ ଭାଇ: ସୁଡଙ୍ଗରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ

ଆର୍‌.ଉଦୟଗିରି,୨୩।୫: ଗଜପତି ଜିଲା ଅନ୍ତର୍ଗତ ଅଡବା ଥାନାର ବିରିକୋଟ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ସୁଡଙ୍ଗ ଭିତରକୁ ଯାଇ ୩ ଭାଇଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିକ୍ରୀ ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ ।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଘର ଭିତରେ ଥିବା ସୁଡ଼ଙ୍ଗ ଭିତରୁ ତାଙ୍କ ବାପା ଏଟିମ୍‌ କାର୍ଡ ଆଣିବାକୁ ସଞ୍ଜୀବକୁ କହିଥିଲେ। ସଞ୍ଜୀବ ସୁଡଙ୍ଗ ଭିତରକୁ ଏଟିମ୍‌ ଆଣିବାକୁ ଯାଇଥିଲେ। କିନ୍ତୁ ସେ ନ ଫେରିବାରୁ ବିକ୍ରମ ସଞ୍ଜୀବଙ୍କୁ ଡାକିବାକୁ ଯାଇଥିଲେ। କିନ୍ତୁ ସଞ୍ଜୀବ ଅଚେତ ଅବସ୍ଥାରେ ପଡିଥିବା ଦେଖି ବିକ୍ରମ ସେଠାକୁ ଯାଇ ଚେତା ହରାଇ ବସିଥିଲେ। ଦୁଇଭାଇ ଅଚେତ ଅବସ୍ଥାରେ ପଡି ରହିଥିବା ଦେଖି ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ସେ ମଧ୍ୟ ଅଚେତ ହୋଇଯାଇଥିଲେ। ଶେଷରେ ଭଉଣୀ ଏହା ଜାଣିପାରି ପରିବାରଲୋକଙ୍କୁ ଜଣାଇଥିଲେ। ପରେ ପରିବାରଲୋକେ ତିନି ଭାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ହେଲେ ସେତେବେଳକୁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ଅଡବା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅପରପକ୍ଷେ ତିନିଭାଇଙ୍କ ଏଭଳି ମୃତ୍ୟୁ ସନ୍ଦେହ ଉପୁଜାଉଛି ବୋଲି ଚର୍ଚ୍ଚା ହେଉଛି।