ବାତ୍ୟା ଅମ୍ପନ ତାଣ୍ଡବ: ୪୮ ଘଣ୍ଟାରେ ରିପୋର୍ଟ ଦେବାକୁ ପ୍ରଭାବିତ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ଅମ୍ପନ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଅତିକ୍ରମ କରି ଯାଇଛି। ସ୍ଥଳଭାଗ ମୁହାଁ ହେବା ବେଳେ ଓଡିଶା ଉପକୂଳରେ କିଛି ସମୟ ପାଇଁ ତାଣ୍ଡବ ରଚାଇଛି। ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ଚାଳଘର, ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡିବା ସହିତ ଫସଲ ନଷ୍ଟ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବାକୁ ପ୍ରଭାବିତ ଜିଲାର ଜିଲାପାଳଙ୍କୁ ସତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତି ଆକଳନ କରାଯିବ। ଏହା ପରେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଏସଆରସି କହିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ ମାଡରେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲା ଅଧିକ ପ୍ରଭାବିତ ହୋଇଥିବା ବେଳେ ଉପକୂଳବର୍ତ୍ତୀ ୧୨ଟି ଜିଲାରେ ମଧ୍ୟ ଏହାର କିଛି ପ୍ରଭାବ ଅନୁଭୂତ ହୋଇଥିବା ଜଣାପଡିଛି। ଜିଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିକୁ ଆକଳନ କରାଯାଇ ପାରିବ ବୋଲି ଏସଆରସି କହିଛନ୍ତି।