ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା କିଆପଦର ଛକ ନିକଟସ୍ଥ ତେନ୍ତୁଳିପଦର ଛକ ଜଙ୍ଗଲରୁ ସୋମବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଗରିବ ରୋଗୀଙ୍କ ମୃତ୍ୟୁ ପରେ ବେସରକାରୀ ବୋଲେରୋ ଚାଳକ ମୃତଦେହ ସହ ତାଙ୍କ ବୃଦ୍ଧା ସ୍ତ୍ରୀ ଓ ସମ୍ପର୍କୀୟଙ୍କୁ ନିଛାଟିଆ ଜଙ୍ଗଲରେ ଓହ୍ଲାଇ ଦେଇ ଚାଲିଯାଇଛି। ବଡ଼ଛତ୍ରଙ୍ଗ ଗ୍ରାମର ବୃନ୍ଦାବନ ସାହୁ (୫୮) ଗୁରୁତର ଅସୁସ୍ଥତା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ବୁର୍ଲା ରେଫର କରିଥିଲେ ମଧ୍ୟ ଆର୍ଥିକ ଅଭାବରୁ ପରିବାର ଲୋକେ ତାଙ୍କୁ ବୋଲେରୋ ଯୋଗେ ଘରକୁ ଫେରାଉଥିଲେ। ମାତ୍ର ବାଟରେ ଜଙ୍ଗଲ ରାସ୍ତାରେ ବୃନ୍ଦାବନଙ୍କ ମୃତ୍ୟୁ ଘଟିଥିଲା। ଏହା ଜାଣି ଚାଳକ ସାମାନ୍ୟ ଦୟା ନଦେଖାଇ, ମୃତଦେହ ସହ ଅସହାୟ ପରିବାରକୁ ଜଙ୍ଗଲରେ ଓହ୍ଲାଇ ଫେରାର୍ ହୋଇଯାଇଥିଲେ। ନିଶୁନ ସାନ୍ଧ୍ର ଜଙ୍ଗଲରେ ବୃଦ୍ଧା ସ୍ତ୍ରୀ ସ୍ବାମୀଙ୍କ ଶବକୁ ଜଗି ରହିବା ଘଟଣା ଅତୀତର ‘ଦାନ ମାଝୀ’ ସ୍ମୃତିକୁ ସତେଜ କରିଛି। ଏଠାରେ ପ୍ରଶ୍ନ ଉଠୁଛି, ଗାଡ଼ିଟି ଭଡ଼ାରେ ଆସିଥିବାରୁ ଅଧିକ ଅର୍ଥ ଆବଶ୍ୟକ ଥିଲେ ଶବକୁ ଘରେ ଛାଡ଼ି ସେଠାରେ ମାଗିପାରିଥାନ୍ତା। କିନ୍ତୁ ଏଭଳି ନିଷ୍ଠୁର ଆଚରଣର କଣ ଆବଶ୍ୟକତା ଥିଲା? ଉକ୍ତ ଘଞ୍ଚ ଜଙ୍ଗଲରେ ଯଦି ହିଂସ୍ର ଜନ୍ତୁ ଆସିଥାନ୍ତେ କିମ୍ବା କୌଣସି ଦୁର୍ଘଟଣା ଘଟିଥାନ୍ତା, ତେବେ ଅସହାୟ ପରିବାର ଓ ଶବର ଅବସ୍ଥା କଣ ହୋଇଥାନ୍ତା? ଏଭଳି ଅମାନବୀୟ ତଥା ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସମାଜସେବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହାକୁ ଦୃଢ଼ ନିନ୍ଦା କରାଯାଇଛି। ଖବରପାଇ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦୀସାରୀ ତୁରନ୍ତ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକଙ୍କ ସହ ଯୋଗାଯୋଗ କରି ସୁବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ନିର୍ଦ୍ଦେଶକ୍ରମେ କିଆପଦର ଅଞ୍ଚଳର ବିଜେଡି ନେତୃମଣ୍ଡଳୀ ସର୍ବଶ୍ରୀ ଭୀମସେନ ସୁନାନି, ନରେନ୍ଦ୍ର ବିଭାର ଓ ପଞ୍ଚାୟତ ସଭାପତି କାମେଶ୍ୱର ନାଏକ ତୁରନ୍ତ ପହଞ୍ଚି ମୃତଦେହକୁ ନୂତନ ବସ୍ତ୍ର ଢାଙ୍କି ପରିବାରକୁ ଆଶ୍ୱାସନା ଦେଇଥିଲେ। ସ୍ଥାନୀୟ ବିଧାୟକ ବ୍ଲକ ପ୍ରତିନିଧି ନାଏକଙ୍କ ଅନୁରୋଧ କ୍ରମେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଏବଂ ଫାର୍ମାସିଷ୍ଟଙ୍କ ତତ୍ପରତାରେ ସରକାରୀ ‘ମହାପ୍ରୟାଣ’ ଗାଡ଼ି ଯୋଗେ ମୃତଦେହକୁ ସେଠାରୁ ସମ୍ମାନର ସହ ବଡ଼ଛତ୍ରଙ୍ଗ ଗ୍ରାମକୁ ପଠାଯାଇଛି। ଏହି ଆଧୁନିକ ଦୁନିଆରେ ଅର୍ଥ ହିଁ ସବୁକିଛି ନୁହେଁ, ମଣିଷ ପଣିଆ ହିଁ ଶ୍ରେଷ୍ଠ ଧର୍ମ। ବିପତ୍ତି ସମୟରେ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ। ଏଭଳି ଅମାନବୀୟ କାର୍ଯ୍ୟରୁ ସମସ୍ତେ ଦୂରେଇ ରହି ପରସ୍ପର ପ୍ରତି ସହଯୋଗର ହାତ ବଢ଼ାନ୍ତୁ, ଯେପରି ଅନ୍ୟ କୌଣସି ପରିବାରକୁ ଭବିଷ୍ୟତରେ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ନପଡ଼େ ବୋଲି ବୁଦ୍ଧିଜୀବୀ ଏବଂ ସମାଜସେବୀ ମହଲରେ ମତ ପ୍ରକାଶ ପାଇଛି।
Odisha’s No.1 Odia Daily

