Categories: ଖେଳ

ବାଙ୍ଗାଲୋର ଓପନ ଖେଳିବେ ପେସ୍‌

ବେଙ୍ଗାଲୁରୁ, ୭ା୨ (ପି.ଟି.)-ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁଥିବା ୧୬୨,୦୦୦ ଡଲାର ପୁରସ୍କାର ବିଶିଷ୍ଟ ବାଙ୍ଗାଲୋର ଏଟିପି ଚ୍ୟାଲେଞ୍ଜରରେ ଭାରତୀୟ ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ଭାଗ ନେବେ। ଗୁରୁବାର ଏହା ସ୍ପଷ୍ଟ ହୋଇଛି। ପେସ୍‌ଙ୍କ ଏହା ବିଦାୟକାଳୀନ ସିଜନ ହୋଇଥିବାରୁ ଘରୋଇ ମାଟିରେ ଏହା ତାଙ୍କର ଅନ୍ତିମ ଟୁର୍ନାମେଣ୍ଟ ହେବ। ତାଙ୍କ ପାଇଁ ଏହା ଫେୟାରଓ୍ବେଲ ଟୁର୍‌ ହୋଇଥିବାରୁ ପେସ୍‌ ତାଙ୍କ ପସନ୍ଦ ମୁତାବକ ଟୁର୍ନାମେଣ୍ଟରେ ଭାଗନେବେ। ବାଙ୍ଗାଲୋରରେ ବହୁ ଟେନିସପ୍ରେମୀ ରହିଛନ୍ତି। ଟେନିସ ଟୁର୍ନାମେଣ୍ଟ ହେଲେ ଦର୍ଶକଙ୍କ ଭିଡ଼ ହୁଏ। ଏଠାରେ ଖେଳିବାରେ ମଜା ଥାଏ ବୋଲି ପେସ୍‌ କହିଛନ୍ତି। ପେସ୍‌ ବର୍ତ୍ତମାନ ପୁଣେଠାରେ ଟାଟା ମହାରାଷ୍ଟ୍ର ଏଟିପି ଟୁର୍‌ ଇଭେଣ୍ଟରେ ଖେଳୁଛନ୍ତି। ଏହି ୪୬ ବର୍ଷୀୟ ଖେଳାଳି ୮ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଏବଂ ୧୦ ମିକ୍ସଡ ଡବଲ୍ସ ଟାଇଟଲ ବ୍ୟତୀତ ୫୪ ଏଟିପି ଟୁର୍‌ ଡବଲ୍ସ ଟାଇଟଲ ଜିତିଛନ୍ତି। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ସେ ଐତିହାସିକ ବ୍ରୋଞ୍ଜ ସଫଳତା ହାସଲ କରିଛନ୍ତି। ୧୦୦ ଗ୍ରାଣ୍ଡସ୍ଲାମ ଖେଳିବା ଗୌରବ ଲାଗି ସେ ଆଉ ୩ ପାଦ ପଛରେ ରହିଛନ୍ତି। ଅବସର ନେବା ପୂର୍ବରୁ ଚଳିତ ବର୍ଷ ସମସ୍ତ ଗ୍ରାଣ୍ଡସ୍ଲାମରେ ଭାଗ ନେବାଲାଗି ସ୍ଥିର କରିଥିବା ପେସ୍‌ ପ୍ରକାଶ କରିଛନ୍ତି।

Share