Categories: ଖେଳ

ବାଙ୍ଗରଙ୍କ ପୁଅକୁ ଟିପ୍ସ ଦେଲେ ଅରୁଣ

ମାଞ୍ଚେଷ୍ଟର,୨୬ା୬ (ପି.ଟି.)- ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନଙ୍କୁ ଟିପ୍ସ ଦେଇଛନ୍ତି ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ଭରତ ଅରୁଣ। ମଙ୍ଗଳବାର ଏଠାରେ ବିରାଟ କୋହଲି ଏଣ୍ଡ୍‌କୋ’ର ଅତିରିକ୍ତ ଅଭ୍ୟାସ ସେସନ ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ୧୮ ବର୍ଷୀୟ ଆର୍ଯ୍ୟନ ହେଉଛନ୍ତି ସଞ୍ଜୟ ବାଙ୍ଗରଙ୍କ ଜ୍ୟେଷ୍ଠ ପୁତ୍ର। ବର୍ତ୍ତମାନ ସେ ଇଂଲଣ୍ଡରେ ଲିସେଷ୍ଟରଶାୟାର ଦଳ ତରଫରୁ କାଉଣ୍ଟି କ୍ରିକେଟ ଖେଳୁଛନ୍ତି। ସେ ପ୍ରଥମତଃ ଜଣେ ଟପ୍‌ ଅର୍ଡର ବାମହାତୀ ବ୍ୟାଟ୍ସମ୍ୟାନ। ସେ ସ୍ପିନ ବୋଲିଂ ମଧ୍ୟ କରିପାରନ୍ତି। ଆର୍ଯ୍ୟନ ବୋଲିଂ କରୁଥିବା ବେଳେ ଅରୁଣ ଏବଂ ଫିଲ୍ଡିଂ କୋଚ୍‌ ଆର୍‌. ଶ୍ରୀଧର ୨୦ ମିନିଟ୍‌ରୁ ଅଧିକ ସମୟ ଧରି ତାଙ୍କ ଉପରେ ନଜର ରଖିଥିଲେ। ସେସନ ପରେ ଅରୁଣ ଆର୍ଯ୍ୟନଙ୍କୁ କିଛି ଟିପ୍ସ ଦେଇଥିଲେ। ସିନିୟର ବାଙ୍ଗର କିଛି ଦୂରରେ ରହି ଏ ସବୁ ନିରୀକ୍ଷଣ କରୁଥିଲେ। ମୁମ୍ବାଇସ୍ଥିତ ରିଜ୍‌ଭି କଲେଜର ପ୍ରଥମ ଶ୍ରେଣୀ ଛାତ୍ର ଦକ୍ଷତା ବୃଦ୍ଧି ଏବଂ ଅଭିଜ୍ଞତା ହାସଲ କରିବା ଲାଗି ୨ମାସ ପାଇଁ ଇଂଲଣ୍ଡ ଯାଇଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇ ଜୁନିୟର ସର୍କିଟରେ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଆର୍ଯ୍ୟନ ଜାତୀୟ ୧୯ ବର୍ଷରୁ କମ୍‌ ପ୍ରତିଯୋଗିତା କୁଚ୍‌ ବିହାର ଟ୍ରଫିରେ ପୁଡୁଚେରୀ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଚଳିତ ବର୍ଷ ୫ଟି ଗେମ୍‌ରେ ସେ ମୋଟ ୩୦୦ ରନ ସ୍କୋର କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୧୫୦ ଥିଲା। ସେ ୨୦ଟି ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି।

Share