ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ ଗୁଣ୍ଡିରିବାଡ଼ି ଗ୍ରାମ ମୁଣ୍ଡରେ ଥିବା ଏକ ଗୁହାଳ ଦେଇ ଏକ ବାଘ ଦୌଡ଼ି ପଳାଉଥିବା ଜଣେ ମହିଳା ଦେଖି ପାଟି କରିଥିଲେ। ପାଟିଶୁଣି ଲୋକେ ଏକାଠି ହୋଇଯାଇଥିଲେ। ଏହାପରେ ପରେ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ତଦନ୍ତ କରିଥିଲେ। ବାଘ ଆସିଥିବା ବନ ବିଭାଗ କର୍ମଚାରୀମାନେ ବିଶ୍ୱାସ କରୁଛନ୍ତି। କିନ୍ତୁ ବାଘର ପାଦ ଚିହ୍ନ ଠାବ କରାଯାଇ ପାରିନାହିଁ। ବିଗତ କିଛିଦିନ ହେବ ଉକ୍ତ ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଥିଲା। ଏହାପରେ ବାଘର ଚିତ୍ରକୁ ଠାବ କରିବା ପାଇଁ ଟ୍ରାପ୍‌ କ୍ୟାମେରା ଲଗାଇବା ଯୋଜନା ହୋଇଥିଲା। କିନ୍ତୁ ବାଘ ଥିବାର ପାଦ ଚିହ୍ନରୁ ଠୋସ ପ୍ରମାଣ ମିଳିବା ପରେ ଆଉ ଟ୍ରାପ୍‌ କ୍ୟାମେରା ଲାଗି ନ ଥିଲା। ଗତକାଲି ମଧ୍ୟ ତେନ୍ତୁଳିଆ ଅଞ୍ଚଳରେ ବାଘ ଆତଙ୍କ ନେଇ ଗୁଜବ ପରେ ଟ୍ରାପ୍‌ କ୍ୟାମେରା ଲଗାଇବା ଯୋଜନା ହୋଇଥିଲା, କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଲଗାଯାଇନାହିଁ। ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଅପରପକ୍ଷେ ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାସଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ସୋମବାର ରାତିରେ ଗୁଣ୍ଡିରିବାଡ଼ି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରି ଆସିଛନ୍ତି। ବାଘର ଗତିବିଧିକୁ ଦେଖି ଟ୍ରାପ୍‌ କ୍ୟାମେରା ଲଗାଯିବ ବୋଲି ସେ ସୁଚନା ଦେଇଛନ୍ତି। ସନ୍ଧ୍ୟା ହେଲେ ଲୋକେ ଆବଶ୍ୟକ ପଡ଼ିଲେ ଘରୁ ସତର୍କତାର ସହ ବାହାରକୁ ବାହାରିବା ଓ ଜଙ୍ଗଲକୁ ଛେଳି ନ ଛାଡ଼ିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।