ବାଇକ୍‌ରେ ବ୍ରହ୍ମପୁର ଯାଉଥିବା ବେଳେ ବଜ୍ରପାତ, ଆଖି ବୁଜିଲେ ଆରୋହୀ

ଖୋର୍ଦ୍ଧା ଅଫିସ, ୯।୬: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ବଜ୍ରପାତ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମକୃଷ୍ଣ ଦାସ। ତାଙ୍କ ଘର ଗଞ୍ଜାମ ଜିଲାର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡିଛି। ସେ ବାଇକରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିଲେ। ତେବେ ଜାତୀୟ ରାଜପଥରେ ଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହଠାତ୍‌ ବ୍ରଜପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ। ଖବରପାଇ ଟାଉନ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।