ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଯାତ୍ରୀ

କୋକସରା,୩।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ ୨୬ ନଂ. ଜାତୀୟ ରାଜପଥ ସିଉନି ଗାଁ ବିଦ୍ୟାଳୟ ସାମ୍ନା ବୁଲାଣିରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ମିଳଥିବା ସୂଚନା ଅନୁସାରେ, ଭୁବନେଶ୍ୱରରୁ ଉମରକୋଟ-ରାଇଘର ଅଭିମୂଖେ ଆସୁଥିବା ଶ୍ରୀ ରଘୁନାଥ ନାମକ ଏକ ଘରୋଇ ବସ୍‌ (ନଂ.ଓଡି୦୨ଏସ୍‌-୨୯୪୮) ଶୁକ୍ରବାର ଭୋର ପ୍ରାୟ ସାଢେ ୪ଟାରେ ସିଉନି ଗାଁ ବିଦ୍ୟାଳୟ ନିକଟ ବୁଲାଣିରେ ରାସ୍ତା ତଳକୁ ଖସିଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ଅନ୍ୟପକ୍ଷେ ଏହି ରାସ୍ତା ଦେଇ ଯାତ୍ରୀବାହୀ ବସଗୁଡିକ ଦ୍ରୁତଗତିରେ ଦୈନିକ ଯାତାୟାତ କରୁଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାଘଟି ଧନ ଜୀବନ କ୍ଷୟକ୍ଷତି ହେଉଛି। ଏ ନେଇ ଆମପାଣି ଥାନା ଅଧିକାରୀ ପୁସ୍ପାଲୀ ନେଗୀଙ୍କୁ ପଚାରିବାରୁ ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍‌ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ଓ ସେମାନଙ୍କୁ ଅନ୍ୟ ବସ୍‌ରେ ପଠାଇ ଦିଆଯାଇଛି ବୋଲି କହିଛନ୍ତି ।