ବନ୍ଦେ ଉତ୍କଳ ଜନନୀ ଓ କାନ୍ତକବି

ଡ.ପ୍ରଫୁଲ୍ଲ କୁମାର ସାହୁ

ଶେଷରେ ଦୀର୍ଘ ପ୍ରତୀକ୍ଷାର ଯବନିକା ଟାଣି କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଓଡ଼ିଶା ଇତିହାସରେ ଯୋଡ଼ି ହୋଇଗଲା ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ। ୧୯୧୪ ମସିହାରେ ଆମ ଜାତୀୟ ଅସ୍ମିତାକୁ ପଲ୍ଲବିତ କରିଥିଲା ଓଡ଼ିଆ ଭାଷାର ଶାସ୍ତ୍ରୀୟ ସ୍ବୀକୃତି। ସେହି ଅସ୍ମିତାକୁ ଏବେ ପୁଷ୍ପିତ ଓ ସୁରଭିତ କଲା ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା। ଦେଶରେ ଓଡ଼ିଶା ହିଁ ଏକମାତ୍ର ରାଜ୍ୟ, ଯାହା ଭାଷା ଭିତ୍ତିରେ ଗଠନ ହୋଇଛି ବହୁ ସଂଗ୍ରାମ ପରେ। ସେହି ସଂଗ୍ରାମ ଏଠି ପ୍ରତ୍ୟେକ ଓଡ଼ିଆଙ୍କୁ ଦେଇଛି ରାଜ୍ୟର ନିଜସ୍ବ ସଙ୍ଗୀତ ଗାନ କରିବାର ଅଧିକାର। ଏହି ଦୃଷ୍ଟିରୁ ବିଚାର କଲେ କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କେବଳ ଏକ ସଙ୍ଗୀତ ନୁହେଁ,ଏହା ଓଡ଼ିଆ ଜାତିର, ଓଡ଼ିଆ ମାଟିର, ଓଡ଼ିଆ ଭାଷାର ଓ ଓଡ଼ିଆ ଜନଜୀବନର ଗୌରବ ଗାଥା। ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରାଣ ଓ ପ୍ରେରଣାର ଏକ ଆବେଗମୟ ଉଛ୍ବାସ। ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଏହା ଏକ ଅମୃତମୟ ଡୋରି। ଉତ୍କଳର ନଦନଦୀ, ଗିରି ବନ, କଳା,ସାହିତ୍ୟ,ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ କାନ୍ତକବି ଏଥିରେ ଏମିତି ଶବ୍ଦ ଓ ଭାଷାରେ ଗୁନ୍ଥି ଦେଇଛନ୍ତି, ତାହା ଖାଇବା ମାତ୍ରେ ଦର୍ପଣରେ ମୁହଁ ଦେଖିଲା ପରି ଆଖି ଆଗରେ ଭାସି ଝଲସି ଉଠେ କୀର୍ତ୍ତିମାଳିନୀ ଉତ୍କଳ ଜନନୀଙ୍କ ମୁହଁ। ଏହି ସଙ୍ଗୀତ ପ୍ରଥମେ ୧୯୧୨ ମସିହାରେ ଗାନ କରାଯାଇଥିଲା ବାଲେଶ୍ବରରେ ଆୟୋଜିତ ଉତ୍କଳ ସମ୍ମିଳନୀର ସ୍ବତନ୍ତ୍ର ଅଧିବେଶନ ମଣ୍ଡପରେ। ଯେତେବେଳେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଦ୍ବାରା ଏ ସଙ୍ଗୀତ ଗାନ କରାଗଲା, ସେତେବେଳେ ତା’ର ହୃଦୟସ୍ପର୍ଶୀ ଅନ୍ତଧର୍‌ବନି ଲୋକଙ୍କ ପ୍ରାଣରେ ଖେଳାଇ ଦେଲା ଏକ ଅପୂର୍ବ ଶିହରଣ। ମଞ୍ଚାସୀନ ପଣ୍ଡିତ ଗୋପବନ୍ଧୁ ଦାସ ଏତେ ଭାବବିହ୍ବଳ ହୋଇପଡ଼ିଲେ ଯେ ତାଙ୍କ ଆଖିରୁ ଝରିପଡ଼ିଲା ଧାର ଧାର ଲୁହ। ବାସ୍ତବରେ ଏ ସଙ୍ଗୀତର ପ୍ରତିଟି ଶବ୍ଦରେ ଭରି ରହିଛି ଦେଶ ଭକ୍ତିର ଅଫୁରନ୍ତ ଶକ୍ତ। ସେଥିପାଇଁ ତ ଏହା ସେବେଠାରୁ ସ୍ବତଃ ଖୋଦେଇ ହୋଇ ରହିଯାଇଛି ପ୍ରତ୍ୟେକ ଓଡ଼ଆଙ୍କ ପ୍ରାଣରେ। କୌଣସି ସରକାରୀ ସ୍ବୀକୃତିକୁ ଅପେକ୍ଷା ନ ରଖି ଏହା ସ୍ବତଃ ଜାତୀୟ ସଙ୍ଗୀତରେ ପରିଣତ ହୋଇଯାଇଛି ଲୋକଙ୍କ ଭାବାବେଗ ଭିତରେ। ଅର୍ଥାତ ବର୍ତ୍ତମାନର କ୍ୟାବିନେଟ ମୋହର କେବଳ ଏକ ଔପଚାରିକତା।
୧୯୧୨ ମସିହାରୁ ‘ବନ୍ଦେ ଉତ୍କଳ ଜନନୀ’କୁ ଆବାହନୀ ସଙ୍ଗୀତ ଭାବେ ଗ୍ରହଣ କରିନେଇଛି ଉତ୍କଳ ସମ୍ମିଳନୀ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅଭିଯାନରେ ପ୍ରାଣେ ପ୍ରାଣେ ସାହସ ଓ ପ୍ରେରଣା ଭରିଦେଇଥିବା ଏହି ସଙ୍ଗୀତ ରାଜ୍ୟବ୍ୟାପୀ ଖୁବ୍‌ ଉଲ୍ଲାସର ସହିତ ବୋଲାଯାଇଥିଲା ୧୯୩୬ ମସିହାରେ। ସେବେଠାରୁ ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ଦାବିକରି ଆସୁଥିଲେ ଅନେକ ଜାତୀୟବାଦୀ ସଂଗଠନ। ମାତ୍ର ରାଜ୍ୟବାସୀଙ୍କର ଏ ଦାବି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଚାପିହୋଇ ରହିଗଲା ସରକାରୀ ବ୍ୟବସ୍ଥାର ନାଲିଫିତା ତଳେ। ବର୍ଷ ବର୍ଷର ଆବେଦନ, ନିବେଦନ, ପ୍ରସ୍ତାବ ଓ ଆନ୍ଦୋଳନ ପରେ ଏଥିପାଇଁ ପ୍ରଥମେ ପ୍ରକ୍ରିୟା ଆରମ୍ଭ ହେଲା ୧୯୯୪ ମସିହା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ। ୧୯୯୪ ନଭେମ୍ବର ୭ ତାରିଖ ତତ୍କାଳୀନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ବିଧାନ ସଭାରେ ଉଦଯାପନୀ ସଙ୍ଗୀତ ଭାବେ ଗାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ତଦନୁଯାୟୀ ଏହା ଏବେ ବିଧାନ ସଭାରେ ବୋଲା ଯାଉଛି ପ୍ରତି ଅଧିବେଶନର ଶେଷ ଦିବସରେ। ମାତ୍ର ଏତିକିରେ ସନ୍ତୁଷ୍ଟ ନ ଥିଲେ ଦେଶପ୍ରାଣ ଓଡ଼ିଆମାନେ। ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ୨୦୧୫ରେ ପ୍ରକାଶ ପାଇଲା ସରକାରୀ ତତ୍ପରତା। ସେହି ବର୍ଷ ଫେବୃୟାରୀ ମାସରେ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି। କ୍ୟାବିନେଟ ଅନୁମୋଦନ ପାଇ ଜୁଲାଇ ଦଶ ତାରିଖରେ କମିଟି ଦାଖଲ କଲା ତା’ର ଚୂଡାନ୍ତ ରିପୋର୍ଟ। ସେବେଠାରୁ ସରକାରୀ ବ୍ୟବସ୍ଥାର ମନ୍ଥର ପ୍ରକ୍ରିୟା ଭିତରେ ପଡି ରହିଲା କ୍ୟାବିନେଟ ଅନୁମୋଦନ ଅପେକ୍ଷାରେ। ହଠାତ ତାହା କ୍ରିୟାଶୀଳ ହୋଇ ଉଠିଲା ମହାମାରୀ କରୋନାର ଶକ୍ତ ଆଘାତରେ। କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ମେ ୩୦ ତାରିଖ ସନ୍ଧ୍ୟାରେ ଜନନୀ ଜନ୍ମଭୂମି ବନ୍ଦନାରେ କମ୍ପିଉଠିଲା ସାରା ଓଡ଼ିଶା। ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ରାଜ୍ୟର ଆବାଳବୃଦ୍ଧବନିତା ଗାଇଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ। ଦେଶପ୍ରେମର ଅଭୂତପୂର୍ବ ଆବେଗ ଓ ଏକତା ଭିତରେ ପୁଣି ଥରେ କଡ ଲେଉଟାଇଲା ପୁରୁଣା ଦାବି। ଆଗେଇ ଆସିଲେ ଅନେକ ଜାତୀୟବାଦୀ ଅନୁଷ୍ଠାନ। ସେଥିରେ ସ୍ବର ମିଶାଇଲେ ବହୁ ଜାତିପ୍ରାଣ ଓଡ଼ିଆ। ସାରା ରାଜ୍ୟର କୋଣ ଅନୁକୋଣରୁ ଶୁଭିଲା – ବନ୍ଦେ ଉତ୍କଳ ଜନନୀକୁ ଦିଅ ରାଜ୍ୟ ସଙ୍ଗୀତର ମାନ୍ୟତା। ଶେଷରେ ରାଜ୍ୟବାସୀଙ୍କ ଉଦ୍‌ବେଗକୁ ଉପଲବ୍ଧି କଲେ ମୁଖ୍ୟମନ୍ତ୍ରୀ। କରୋନା ଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆଉ କାଳ ବିଳମ୍ବ ନ କରି ତୁରନ୍ତ ଆହ୍ବାନ କଲେ ରାଜ୍ୟ କ୍ୟାବିନେଟ। ଜୁନ୍‌ ୭ ତାରିଖ ଅନୁଷ୍ଠିତ ସେହି ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା। ଏଥିସହିତ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ଶୈଳୀରେ ଏହା ଗାଇବା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ବିଳମ୍ବରେ ହେଲେ ବି ପୂରଣ ହେଲା ରାଜ୍ୟବାସୀଙ୍କ ଦୀର୍ଘଦିନର ଦାବି। ଓଡ଼ିଆ ଜାତିର ଘଟଣାବହୁଳ ଇତିହାସରେ ଏ ବିଳମ୍ବ କିଛି ନୂଆ ନୁହେଁ, ବରଂ ପୁନରାବୃତ୍ତି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଉ କି ଭାଷା ସୁରକ୍ଷା ଆନ୍ଦୋଳନ, ଏ ରାଜ୍ୟର ପ୍ରତିଟି ସଫଳତା ପଛରେ ରହିଛି ଏକ ଲମ୍ବା ଲଢ଼େଇ। ମାତ୍ର ସଂଘର୍ଷ ଯେତେ ବିଳମ୍ବ ହେଲେ ବି ସବୁ କ୍ଷେତ୍ରରେ ଶୁଭିଛି ସଫଳତାର ଶଙ୍ଖନାଦ। ଏହି କ୍ରମରେ ବନ୍ଦେ ଉତ୍କଳ ଜନନୀକୁ ସରକାରୀ ଭାବେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ପାଇଁ ଅଧିକ ସମୟ ଲାଗି ଯାଇଥିଲେ ବି ବ୍ୟବସ୍ଥା ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ ନ କରି ନେତୃତ୍ୱ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। କାରଣ ଏହା ହିଁ ହେବ ଓଡ଼ିଆ ସାହିତ୍ୟ ଜଗତର ମଉଡମଣି କାନ୍ତକବି ଲକ୍ଷୀକାନ୍ତଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ଏ ମାଟିର ଜାତୀୟ କବି କାନ୍ତକବି ଲକ୍ଷୀକାନ୍ତ ମହାପାତ୍ର। ଭାରତୀୟ ମୁକ୍ତି ସଂଗ୍ରାମର ଜଣେ ପ୍ରତିଥଯଶା ସୈନିକ। ୧୮୮୮ ମସିହା ଡିସେମ୍ବର ୯ ତାରିଖ ଭଦ୍ରକ ମାଟିରେ ଜନ୍ମଗ୍ରହଣ କରିଥିବା କାନ୍ତକବିଙ୍କ ଜାତୀୟ ଜୀବନର ପ୍ରେରଣାର ଉତ୍ସ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। କଟକରେ ଅବସ୍ଥାନ କାଳରେ ଗୋପବନ୍ଧୁଙ୍କ ଜାତୀୟବାଦୀ କାବ୍ୟ କବିତା ତାଙ୍କ ହୃଦୟକୁ ଏଭଳି ଆଲୋଡିତ କରିଥିଲା ଯେ ସେଥିରୁ ସେ ମୁକୁଳି ପାରି ନଥିଲେ ସାରା ଜୀବନ। ନିଜ ସାହିତି୍ୟକ ଜୀବନର ମଧ୍ୟାହ୍ନରେ ସେ ବହୁ ଜାତୀୟବାଦୀ କବିତା ଲେଖିଛନ୍ତି,ଯାହା କାନ୍ତ ସାହିତ୍ୟ ମାଳା ଦ୍ବିତୀୟ ଭାଗରେ ସନ୍ନିବେଶିତ ହୋଇଛି ଜାତୀୟ ସଙ୍ଗୀତ ଶୀର୍ଷକରେ। ସ୍ରଷ୍ଟାଙ୍କ ଜାତୀୟ ସଙ୍ଗୀତ ଅନ୍ତର୍ଗତ ପ୍ରଥମ କବିତା ହେଉଛି ବନ୍ଦେ ଉତ୍କଳ ଜନନୀ, ଯାହାକୁ କବି ରଚନା କରିଥିଲେ ମାତ୍ର ଅଠର ବର୍ଷ ବୟସରେ। କବିଙ୍କ ଦୃଷ୍ଟିରେ ଉତ୍କଳ ଭୂଖଣ୍ଡ କେବଳ ଏକ ଜଡ଼ ପିଣ୍ଡ ନୁହେଁ, ସେ ଆମ ଜନନୀ। ତା’ର ଜୀବନ ଅଛି, ଯାହାକୁ କୁହାଯାଏ ଜାତୀୟ ଜୀବନ। ଏକଦା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିବା ଉତ୍କଳ ଭୂଖଣ୍ଡ ଯେତେବେଳେ ସଂକୁଚିତ ହୋଇପଡିଛି, ତାହା କବି ପ୍ରାଣରେ ସୃଷ୍ଟି କରିଛି ବ୍ୟଥା ଓ ବେଦନା। ଉତ୍କଳ ଜନନୀକୁ ଏହି ଅସହାୟତାରୁ ମୁକ୍ତି ଦେବା ପାଇଁ ସେ ଖୋଜିଛନ୍ତି ଉପାୟ। ତେଣୁ ସ୍ଥାଣୁ ଓଡ଼ିଆଙ୍କ ଭିତରେ ଜାଗରଣ ଭରିଦେବା ଉଦ୍ଦେଶ୍ୟରେ ଲେଖିଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ। ବସ୍ତୁତଃ ତାଙ୍କୁ ବିଭୋର କରିଥିଲା ଜନ୍ମ ମାଟିର ସୁଷମା ମଣ୍ଡିତ ପ୍ରାକୃତିକ ରୂପ ସମ୍ଭାର। ସେଥିରେ ଅଭିଭୂତ ହୋଇ ଗାଇଛନ୍ତି-ନୀଳପୟୋଧି ବିଧୌତ ଶରୀରା, ତାଳ ତମାଳ ସୁଶୋଭିତ ତୀରା…। ଏହି କାଳଜୟୀ ସଙ୍ଗୀତର ଜାତୀୟତାବୋଧକ ବାର୍ତ୍ତା ପ୍ରାଣକୁ ଯେତିକି ଉଦ୍ଦୀପ୍ତ କରେ, ସେତିକି ସ୍ପନ୍ଦିତ କରେ ଉତ୍କଳର ଶ୍ୟାମଳ ବନରାଜି ତଥା ତାର ନୀଳ ଭୂଧରମାଳା। ଉତ୍କଳମଣି ଗୋପବନ୍ଧୁ ତାଙ୍କର ସମଗ୍ର ଜୀବନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଗାଇଥିଲେ ‘ମିଶୁ ମୋର ଦେହ ଏ ଦେଶ ମାଟିରେ…।’ ଅନୁରୂପ ଭାବରେ କାନ୍ତକବି ଜୀବନର ଦୁଃଖ ଦୈନ୍ୟ ରୋଗ ଓ ଶୋକ ଭୁଲି ଗାଇଗଲେ ମା’ ମାଟିର ବନ୍ଦନା-
”ଏ ଦେଶ ମାଟିରେ ଗଠିତ ମୋହର ମେଦ, ମାଂସ, ଅସ୍ଥି
ଏ ଦେଶ ସଲିଳେ ମୋର ରକ୍ତ,ଏ ଦେଶ ଅନ୍ନେ ଶକ୍ତି।
ଏ ଦେଶ ସେବା ଧର୍ମ ମୋହର,ଏ ଦେଶ ମୋର ଧାତ୍ରୀ
ଏ ଦେଶ ଇଷ୍ଟ,ଜନନୀ,ଜନକ ବାଞ୍ଛିତ ଫଳ ଦାତ୍ରୀ।“
ମାତୃଭୂମିର ଅବଦାନକୁ ଯିଏ ଏଭଳି ମର୍ମେ ମର୍ମେ ଅନୁଭବ କରିପାରନ୍ତି,ସେହି କେବଳ ମା’ ମାଟିର ବନ୍ଦନା ପାଇଁ ଲେଖି ପାରନ୍ତି ବନ୍ଦେ ଉତ୍କଳ ଜନନୀ ପରି ସଙ୍ଗୀତ। କବିଙ୍କ ମତରେ ଦେଶାତ୍ମକ କବିତା କେବଳ ତୁଚ୍ଛା ଶବ୍ଦ ସଂଯୋଜନାର ମାୟାଜାଲ ନୁହେଁ,ଏହା ଜାତୀୟ ଜୀବନର ଏକ ବୃହତ୍ତର ଅଧ୍ୟାୟ। କବିଙ୍କ ବ୍ୟକ୍ତିଗତ ଜୀବନ ହୋଇପାରେ ଦୁଃଖମୟ, ମାତ୍ର ତାଙ୍କ ହୃଦୟ ଥିଲା କାରୁଣ୍ୟର ସାଗର ମଧ୍ୟରେ ଆନନ୍ଦବୋଧର ଏକ ଲବଙ୍ଗ ଦ୍ବୀପ। ହଜାରେ ଦୁଃଖ ବଞ୍ଚନା ସତ୍ତ୍ବେ ହସାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱର ଏକ ବିଶେଷ ଗୁଣ। ତାଙ୍କ ଭକ୍ତି ରସାତ୍ମକ ସଙ୍ଗୀତର କାନ୍ତ କୋମଳ ପଦାବଳୀ ତାଙ୍କୁ ଆଣିଦେଇଛି କାନ୍ତକବିର ଗୌରବ। ଏ ଉପାଧି ତାଙ୍କୁ କୌଣସି ସାରସ୍ବତ ଅନୁଷ୍ଠାନ ବା ଏକାଡେମୀ ଦେଇନାହିଁ,ବରଂ ଏହା କବିଙ୍କ ପ୍ରତି ଅଗଣିତ ବିଦଗ୍ଧ ପାଠକଙ୍କ ସସ୍ନେହ ସମ୍ବୋଧନ। କବିଙ୍କ ଉଦ୍ଦେଶ୍ୟରେ ଗୁଣଗ୍ରାହୀମାନଙ୍କର ଏକ ଶାବ୍ଦିକ ଶିରସ୍ତ୍ରାଣ। ଠିକ୍‌ ଫକୀର ମୋହନଙ୍କ ‘ବ୍ୟାସକବି’ ଉପାଧି ପରି। କାନ୍ତକବି ତାଙ୍କର ଜାତୀୟ ସଙ୍ଗୀତ ପାଇଁ ଚିରକାଳ ଅମର ରହିବେ ଏବଂ ତାଙ୍କର ଏ ଅନବଦ୍ୟ ସଙ୍ଗୀତ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ।
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri