ବଧୂହତ୍ୟା ଉଦ୍ୟମ ଅଭିଯୋଗ, ଶ୍ୱଶୁର ଅଟକ

କୁଆମରା,୨୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇଁକୂଳା ପଞ୍ଚାୟତରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ମହିଳାଜଣଙ୍କ ହେଲେ ନିବେଦିତା ଦେ(୨୦)।

ସୂଚନାନୁଯାୟୀ, ରାସଗୋବିନ୍ଦପୁର ଥାନା କରଞ୍ଜପଡ଼ାର ନିବେଦିତା ବାଲେଶ୍ୱର ଜିଲା ପାଣିଶୂଳିଆ(ବାଲିଆପାଳ ଅଞ୍ଚଳ)ର ଇନ୍ଦ୍ରଜିତ ଗିରିଙ୍କୁ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ଇନ୍ଦ୍ରଜିତ ସାଇଁକୂଳାରେ ଏକ କିଓସ୍କି ବ୍ୟାଙ୍କ କରି ସ୍ତ୍ରୀ ଓ ବାପାଙ୍କ ସହ ରହୁଥିଲେ। ତେବେ କୌଣସି କାରଣରୁ ନିବେଦିତାଙ୍କ ସହ ତାଙ୍କର ଝଗଡ଼ା ହୋଇଥିବା ବେଳେ ଶନିବାର ସେ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ଜଣାପଡ଼ିଥିଲା। ସକାଳେ ଇନ୍ଦ୍ରଜିତ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ନିବେଦିତାଙ୍କୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ନେଇ ତାଙ୍କ ବାପା ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ନିବେଦିତା ଏବେ ଗର୍ଭବତୀ ଥିବା ବେଳେ ପୋଲିସ ଶ୍ୱଶୁରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।