ବଦଳିଲା ‘ମେଡିକାଲ ବଣ୍ଡ ପଲିସି ନିୟମ’: ପାଠପଢ଼ା ପରେ ଦୁଇ ବର୍ଷ ଓଡ଼ିଶାରେ କାମ କରିବାକୁ ବାଧ୍ୟ, ନହେଲେ ଦେବାକୁ ପଡ଼ିବ ମୋଟା ଟଙ୍କର ଅର୍ଥ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସି ନିୟମକୁ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଚଳିତ ବର୍ଷଠାରୁ ଲାଗୁ ହେବ ବୋଲି ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନାନୁଯାୟୀ, ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ କରି ପିଜି କଲେ ରାଜ୍ୟରେ ରହିବାକୁ ପଡ଼ିବ। ସେହିଭଳି ପିଜି ଅଥବା ସୁପର ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ ହେବେ। ଏପରିକି ସେମାନଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ ଦୁଇ ବର୍ଷ କାମ କରିବାକୁ ପଡ଼ିବ। ଯଦି କେହି ତାହା ନ କରନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେବାକୁ ହେବ। ପିଜି ଛାତ୍ରୀଛାତ୍ର ଦେଢ଼ କୋଟି ଟଙ୍କା ଦେବାକୁ ଥିବା ବେଳେ ସୁପର ସ୍ପେଶାଲିଷ୍ଟ କୋର୍ସ କରୁଥିବା ଛାତ୍ରୀଛାତ୍ର ଦୁଇ କୋଟି ଟଙ୍କା ଦେବେ ବୋଲି ସେ କହିଛନ୍ତି।

ପୂର୍ବରୁ ସରକାରୀ ମେଡିକାଲ କଲେଜରେ ପାଠପଢ଼ି ବାହାରକୁ ପିଜି କରିବାକୁ ଯାଉଥିବା ଛାତ୍ରୀଛାତ୍ର ୩୬ ଲକ୍ଷ ଟଙ୍କା ଜମା କରିବାକୁ ନିୟମ ରହିଥିଲା। ଏବେ ଏହାକୁ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁସାରେ ସେମାନେ ବଣ୍ଡ ପଲିସି ବାବଦକୁ ସର୍ବନିମ୍ନ ଦେଢ଼ କୋଟି ଟଙ୍କା ଜମା କରିବେ। ସେହିଭଳି ସୁପର ସ୍ପେଶାଲିଷ୍ଟ ପଢ଼ୁଥିବା ଛାତ୍ରୀଛାତ୍ର ଦୁଇ କୋଟି ଟଙ୍କା ଜମା କରିବେ। ବାହାର ରାଜ୍ୟରୁ ଓଡ଼ିଶା ଆସି ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟ ନିୟମ ପରିବର୍ତ୍ତନ କରାଯାଇଛି। ସେମାନେ ମଧ୍ୟ ଦୁଇ ବର୍ଷ ଓଡ଼ିଶାରେ କାମ କରିବାକୁ ବାଧ୍ୟ। ନଚେତ ସମାନ ପରିମାଣର ଟଙ୍କା ଦେଲେ ସେମାନେ ଯାଇପାରିବେ। ପୂର୍ବ ନିୟମ ଯୋଗୁ ରାଜ୍ୟରେ ଡାକ୍ତର ନିଅଣ୍ଟ ପଡ଼ୁଥିଲେ। ଏବେ ଓଡ଼ିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ବହୁ ଡାକ୍ତର ଓଡ଼ିଶାରେ ରହିବେ ଓ ଲୋକଙ୍କର ସେବା କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।