ବଢ଼ୁଛି ଦୁର୍ନୀତିର ଦୈର୍ଘ୍ୟ-ପ୍ରସ୍ଥ

ଡ. ପ୍ରଫୁଲ୍ଲ କୁମାର ସାହୁ
ସ୍ବାଧୀନତା ପରେ ଏକ ଦୁର୍ନୀତିମୁକ୍ତ ଆଦର୍ଶ ଭାରତ ଗଢ଼ିବା ଥିଲା ଗାନ୍ଧିଜୀଙ୍କର ସ୍ବପ୍ନ। ଅଥଚ ଆଜି ଦୁର୍ନୀତିର ପାହାଡ଼ ଉପରେ ଛିଡ଼ାହୋଇଛି ଗାନ୍ଧିଜୀଙ୍କର ସେହି ସ୍ବପ୍ନର ଭାରତବର୍ଷ। ଦେଶକୁ ଲୁଣ୍ଠନ କରୁଥିବା ବଡ଼ ବଡ଼ ଶଠମାନେ ଆଜି ସାଧୁ ଭଳି ପୂଜା ପାଉଛନ୍ତି, ଯେଉଁମାନଙ୍କୁ ରାସ୍ତାକଡ଼ ବତିଖୁଣ୍ଟରେ ଟଙ୍ଗେଇ ଦିଆଯିବ ବୋଲି ସ୍ବାଧୀନତା ପ୍ରାପ୍ତିର ପ୍ରଥମ ପ୍ରଭାତରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ। ମରୀଚିକାରେ ପରିଣତ ହୋଇଛି ଗାନ୍ଧିଜୀଙ୍କର ସେ ସ୍ବପ୍ନ ଓ ପଣ୍ଡିତ ନେହେରୁଙ୍କ ପ୍ରତିଶ୍ରୁତି। ସ୍ବାଧୀନତାର ୭୧ବର୍ଷ ପରେ ଦୁର୍ନୀତି ଓ ଜାଲିଆତିରେ ପୃଥିବୀର ଯେ କୌଣସି ଦେଶକୁ ପଛରେ ପକେଇ ଦେବାର କ୍ଷମତା ହାସଲ କରିସାରିଛି ଭାରତ। ଟ୍ରାନ୍ସପରେନ୍‌ସି ସର୍ବେକ୍ଷଣ ତଥ୍ୟକୁ ଭିତ୍ତିକରି ପ୍ରସ୍ତୁତ ହୋଇଥିବା ଫୋର୍ବସ ରିପୋର୍ଟ ଅନୁଯାୟୀ ସମଗ୍ର ଏସୀୟ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ବାଧିକ ଦୁର୍ନୀତିପ୍ରବଣ ଦେଶ ଭାବରେ ଭାରତ ନିଜ ମୁହଁରେ ନିଜେ ବୋଳିହୋଇଛି କଳା।
ଦିନଥିଲା ବ୍ୟକ୍ତିଗତ ଫାଇଦା ହାସଲ ପାଇଁ କ୍ଷମତାର ଅପବ୍ୟବହାରକୁ ଲୋକେ ଦୁର୍ନୀତି ବୋଲି ଭାବୁଥିଲେ ଏବଂ ଆମ ରାଜନେତାମାନେ ସେଥିରୁ ଦୂରେଇ ରହୁଥିଲେ ବିବେକର ତାଡ଼ନାରେ। ଆଗେ ଦୁର୍ନୀତିରେ ଅଭିଯୁକ୍ତ ହୋଇ କେହି ନେତା ନିନ୍ଦିତ ହେଲେ ସହଜରେ ଛାଡ଼ୁ ନ ଥିଲା କଳଙ୍କର ଦାଗ। ମାତ୍ର ଆମ ଗଣତନ୍ତ୍ରର ବୟସ ବଢିବା ସହିତ ବଦଳିଗଲା ଦୁର୍ନୀତିର ସଂଜ୍ଞା। ସାଧାରଣତଃ ନିର୍ବାଚନର ସ୍ବଚ୍ଛତା ଉପରେ ନିର୍ଭର କରେ ଗଣତନ୍ତ୍ରର ସଫଳତା। ମାତ୍ର ଦୁର୍ନୀତିର ଏକ ବିଶାଳ ଉତ୍ସହୋଇ ଠିଆହୋଇଛି ଆମ ବ୍ୟୟବହୁଳ ନିର୍ବାଚନ ପ୍ରକ୍ରିୟା। ପ୍ରଚୁର କଳାଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢିବା ଓ ଜିଣିଗଲା ପରେ କଳାଟଙ୍କା ଠୁଳ କରିବା ହେଲା ଆମ ରାଜନୀତିର ଏକ ଅଘୋଷିତ ନୀତି। ତେଣୁ କ୍ଷମତା ଅଳିନ୍ଦରେ ବଢି ଚାଲିଛି ଭ୍ରଷ୍ଟାଚାରର ଆୟୋଜକ, ପ୍ରାୟୋଜକ ଓ ବାହୁବଳୀମାନଙ୍କ ଭିଡ଼। ଗଣତନ୍ତ୍ରର ଗଣିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଏମାନଙ୍କ ଉପରେ ନିର୍ଭର କରୁଛି ପ୍ରତ୍ୟେକ ରାଜନୈତିକ ଦଳ। ଏମାନଙ୍କୁ ବାଧାଦେଇ ପାରୁନି ଦେଶର ପ୍ରଚଳିତ ଆଇନ। ତେଣୁ ପଞ୍ଚାୟତରୁ ପାର୍ଲାମେଣ୍ଟ ଯାଏ ସବୁନେତାଙ୍କୁ ଗ୍ରାସିଛି ରାଷ୍ଟ୍ରଧନକୁ ଚଳୁ କରିବାର ନିର୍ଲଜ୍ଜପଣ। କିଏ ଇନ୍ଦିରାଆବାସ ହିତାଧିକାରୀଙ୍କଠାରୁ ଲାଞ୍ଚ ଖାଉଛି ତ କିଏ ଚିଟ୍‌ଫଣ୍ଡ ଲୁଟେରାଙ୍କ ସହ ମିଶି କାଟୁଛି ଗରିବଙ୍କ ତଣ୍ଟି। ସେ ରାଫାଲ ହେଉ କି ବୋଫର୍ସ ଏ ଦୁର୍ନୀତି ଅଭିଯୋଗରେ ଯଦି ସତ୍ୟତା ଥାଏ ତେବେ ଧରିନେବାକୁ ହେବ ଯେ, ଆମ ନୀତିନିୟମର ନିୟାମକମାନେ ନୈତିକ ଅପପୁଷ୍ଟିର ଶିକାର। ଏମାନଙ୍କ ସ୍ବାର୍ଥ ଆଗରେ କୌଣସି ମୂଲ୍ୟ ବହନ କରେନି ଦେଶର ପ୍ରତିରକ୍ଷା ବ୍ୟବସ୍ଥା।
ସରକାରୀ କଳରେ ପ୍ରଶାସନ ଏକ ପ୍ରମୁଖ ସ୍ତମ୍ଭ। ପ୍ରଶାସନିକ ଅଧିକାରୀଙ୍କ ବିନା ସହାୟତାରେ ରାଷ୍ଟ୍ରଧନକୁ କେହି ଆତ୍ମସାତ୍‌ କରିପାରେନି କି ଦେଶରେ ଉଧେଇ ପାରେନି ଦୁର୍ନୀତିର ଚାରା। ଏମାନଙ୍କ ଦକ୍ଷତା ଓ ପ୍ରତିବଦ୍ଧତା ଉପରେ ନିର୍ଭର କରେ ଶାସନର ସ୍ବଚ୍ଛତା। ମାତ୍ର ଆମ ଦେଶରେ ସରକାରୀ ବାବୁମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲୁଣ୍ଠନ ହୁଏ ରାଜକୋଷ। ପୂର୍ବତନ ଚିଫ୍‌ ଭିଜିଲାନ୍ସ କମିଶନର ଏନ୍‌. ବିଠଲଙ୍କ ମତରେ ଭାରତର ପ୍ରଶାସନିକ ଅଧିକାରୀମାନେ ରାଜନୋତାଙ୍କଠାରୁ ଅଧିକ ଦୁର୍ନୀତିଗ୍ରସ୍ତ। ରାଷ୍ଟ୍ରଧନକୁ ଲୁଣ୍ଠନ କରିବା ପାଇଁ ଏମାନେ ରାଜନେତାଙ୍କ ସହ ସ୍ଥାପନ କରନ୍ତି ଅଶୁଭ ମୈତ୍ରୀ। କେନ୍ଦ୍ରୀୟ ଭିଜିଲାନ୍ସ ପକ୍ଷରୁ ହୋଇଥିବା ଏକ ସମୀକ୍ଷାରୁ ଜଣାଯାଏ, ଆମ ଦେଶର ୫୫ଭାଗ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ଦୁର୍ନୀତିରେ ଲିପ୍ତ। ଏମାନଙ୍କ ଭିତରୁ ଅଧିକାଂଶ ରାଜନେତାଙ୍କ ପ୍ରତି ଅନାବଶ୍ୟକ ଆନୁଗତ୍ୟ ପ୍ରକାଶ କରନ୍ତି, ଅବସର ପରେ କୌଣସି ଉଚ୍ଚ ପଦବୀରେ ଅବସ୍ଥାପିତ ହେବା ଲକ୍ଷ୍ୟରେ। ଦୁର୍ନୀତି ପାଇଁ ଏମାନେ କ୍ଷେତ୍ର ପ୍ରସ୍ତୁତ କରନ୍ତି ଏବଂ ମନ୍ତ୍ରୀମାନଙ୍କର ଅନୀତିକୁ ଘଣ୍ଟ ଘୋଡ଼ାନ୍ତି ଖୁବ୍‌ ଚତୁରତାର ସହିତ। ଆପଣା ସ୍ବାର୍ଥପାଇଁ ଆମ ଦେଶର ଅନେକ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ନିଜ ବିବେକ ସହ ସାଲିସ କରିନିଅନ୍ତି ବୋଲି କହିଛନ୍ତି ଖ୍ୟାତନାମା ଆଇଏଏସ ଅଫିସର ତଥା ପଦ୍ମଭୂଷଣ ସି.ପି. ଶ୍ରୀବାସ୍ତବ। ଯେଉଁଠି ଉପରିସ୍ଥ ହାକିମମାନଙ୍କ ବିବେକ ବଳିଗ୍ରସ୍ତ ସେଠାରେ ତଳିଆ କର୍ମଚାରୀମାନେ ଦୁର୍ନୀତିକୁ ଆପଣେଇନେବା ସ୍ବାଭାବିକ। ଭ୍ରଷ୍ଟାଚାରରେ ଜଡ଼ିତ ବ୍ୟକ୍ତି ଦାୟିତ୍ୱରେ ରହି ଶାସନ କଲେ ତା’ର ପ୍ରଭାବ ସହକର୍ମୀ ଓ ଅଧସ୍ତନଙ୍କ ଉପରେ ପଡ଼ିବ ବୋଲି କେ.ସି. ସହିନ୍‌ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଯାହା କହିଛନ୍ତି, ତାହା ହିଁ ଆଜି ଆମ ଅମଲାତାନ୍ତ୍ରିକ ବ୍ୟବସ୍ଥାର ଦୁଃଖଦ ଚିତ୍ର। ବ୍ଲକ୍‌ କାର୍ଯ୍ୟାଳୟଠାରୁ ସଚିବାଳୟ ଯାଏ ସବୁଠି ଚାଲିଛି ଭଣ୍ଡେଇବାର ଫିସାଦ ଓ ରୁଣ୍ଡେଇବାର ପ୍ରତିଯୋଗିତା। ଉକେତ୍ାଚରୂପକ ଉତ୍‌ପ୍ରେରକ ବିନା ଅଫିସରେ ଇଞ୍ଚେ ବି ଘୁଞ୍ଚୁନି ଫାଇଲ୍‌। ୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ, ଜନକଲ୍ୟାଣକାରୀ ଯୋଜନାର ୧୫ପ୍ରତିଶତ ସଫଳତା ଲୋକଙ୍କ ପାଖରେ ପହଞ୍ଚୁଛି ଏବଂ ବାକି ୮୫ ପ୍ରତିଶତ ଯାଉଛି ବାଟମାରଣାରେ।
ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ କହିଥିଲେ, ଦୁର୍ନୀତିର ବିଲୋପ ପାଇଁ ସ୍ବଚ୍ଛ ନେତା, ସଚ୍ଚୋଟ ଲୋକ ଓ ନିଷ୍ଠାପର ଅଧିକାରୀ ଆବଶ୍ୟକ। ମାତ୍ର ଆମ ରାଜନୈତିକ ଦୃଶ୍ୟପଟରେ ଏବେ ଦେଖାଦେଇଛି ସ୍ବଚ୍ଛ ନେତୃତ୍ୱର ମରୁଡ଼ି। ଦେଶର ମଙ୍ଗୁଆଳମାନେ ଯେଉଁଠି ଦୁର୍ନୀତିକୁ ନୀତିରେ ପରିଣତ କରିଦିଅନ୍ତି, ସେଠାରେ ଲୋକଙ୍କ ଶିରାଶୋଣିତରେ ବି ମିଶିଯାଏ ଦୁର୍ନୀତି ମାନସିକତା। ଏହି କାରଣରୁ ଆମ ଦେଶରେ ଲାଞ୍ଚ ନେଲାବାଲା ଯେତିକି ତପତ୍ର, ଦେଲାବାଲା ତା’ଠାରୁ ଅଧିକ ବ୍ୟାକୁଳ। ଲାଞ୍ଚ ଦେଇ କାମ ହାସଲ କରିବାକୁ ନିଜର ପାରିଲାପଣିଆ ବୋଲି ଭାବିନେଲେଣି ଲୋକେ। ତେଣୁ ଯିଏ ଲାଞ୍ଚ ନେଇ ଲୋକଙ୍କ ନ ହେବା କାମ କରିପାରିଲା ସିଏ ହେଲା ସଚ୍ଚା କର୍ମଚାରୀ। ତେଣିକି ଯିଏ ଅସତ୍‌ ଉପାୟରେ ଯେତେ ସମ୍ପତ୍ତି ଠୁଳ କରିବ ଯୋଗ୍ୟତାର ମାପକାଠିରେ ସିଏ ହେବ ସେତେ ଦକ୍ଷ ଓ କରିତ୍‌କର୍ମା। ଅନ୍ୟ ପକ୍ଷରେ ଯିଏ ଆପଣା ସଚ୍ଚୋଟପଣିଆକୁ ଗଣ୍ଠିଧନ କରି ବାଟ ଚାଲିଲା, ତାକୁ କିଏ ଓଲୁ କହିବ ତ କିଏ କହିବ ଅପାରଗ। ଏହି ଅପାରଗମାନଙ୍କ ଉପରେ ପଡ଼ିବ ସବୁଆଡ଼ୁ ମାଡ଼। ବାସ୍ତବରେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଆମେ କେବଳ ଶଠ ତିଆରି କରୁଛୁ ଏବଂ ସେମାନଙ୍କୁ ପିନ୍ଧାଉଛୁ ସଚ୍ଚୋଟତାର ମୁକୁଟ। କର୍ପୋରେଟ୍‌ ଲୁଟ୍‌ର ବିଜ୍ଞାପିତ ପୁରୁଷମାନଙ୍କ ସ୍ବାର୍ଥରେ କାମକରୁଥିବା ନେତାଙ୍କୁ ଫୁଲମାଳ ପିନ୍ଧାଉଛୁ ସଭାମଞ୍ଚରେ।
ଦେଶରୁ ଦୁର୍ନୀତି ହଟାଇବା ପାଇଁ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଆବଶ୍ୟକ କଠୋର କାର୍ଯ୍ୟାନୁଷ୍ଠାନ। ମାତ୍ର ଆମ ଦେଶରେ ଦୁର୍ନୀତିଖୋରଙ୍କୁ ଧରିବା ପାଇଁ ଦାୟିତ୍ୱ ନେଇଥିବା ବାବୁମାନେ ବି ସମାନ ରୋଗରେ ଆକ୍ରାନ୍ତ। ଗଲା କେତେମାସ ପୂର୍ବରୁ ସିବିଆଇର ତତ୍କାଳୀନ ଦୁଇ ଉଚ୍ଚପଦାଧିକାରୀ ପରସ୍ପରଙ୍କ ବିରୋଧରେ ଆଣିଥିବା ଲାଞ୍ଚ ଅଭିଯୋଗ ହିଁ ତା’ର ଏକ ଦୃଷ୍ଟାନ୍ତ। ଦେଶର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥାର ଶୀର୍ଷ ସ୍ଥାନୀୟ ଅଧିକାରୀମାନେ ଯଦି ଦୁର୍ନୀତି ଅଭିଯୋଗରେ ଛନ୍ଦିହେବେ ତେବେ ତଦନ୍ତର ଚରିତ୍ର ଓ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହେବା ସ୍ବଭାବିକ। ଦୁର୍ନୀତିକୁ ନିର୍ମୂଳ କରିବା ପାଇଁ ନେତାମାନେ ଏଠି କେବଳ ବଡ଼ ବଡ଼ ଭାଷଣ ଦିଅନ୍ତି, ମାତ୍ର ଏ ଦିଗରେ ସରକାରୀ ସ୍ତରରେ ଆଦୌ ପ୍ରକାଶ ପାଏନି ତପତ୍ରତା। ସେଥିପାଇଁ ଦେଶରେ ଦୁର୍ନୀତି ଅଭିଯୋଗର ତଦନ୍ତ ପ୍ରକ୍ରିୟା ଭାରି ମନ୍ଥର ଓ ଶିଥିଳ। ବର୍ଷବର୍ଷ ତଦନ୍ତ ପରେ ବି ଧରା ପଡ଼ନ୍ତିନି ଚିଟ୍‌ଫଣ୍ଡ ଲୁଟେରା। ଭିଜିଲାନ୍ସ ହାତରେ ରଙ୍ଗାହାତ ଧରାପଡ଼ିଥିବା ଅନେକ ଲାଞ୍ଚୁଆ ଅଫିସର ବି ଆଇନର ଜାଲରୁ ଖସିଯାଆନ୍ତି ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ। କାରଣ ଏଠି ଦୋଷୀ ବିରୋଧରେ ପ୍ରମାଣ ଠୁଳ କରିବା ପରିବର୍ତ୍ତେ ତା’ପାଇଁ ଖସିଯିବାର ବାଟ ତିଆରି କରେ ତଦନ୍ତ ପ୍ରକ୍ରିୟା। ଏହାକୁ ଅନୁଭବ କରି ୨୦୧୧ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ କ୍ଷୋଭର ସହିତ କହିଥିଲେ ଏ ଦେଶରେ ୧୪୪ ଧାରା ଉଲ୍ଲଂଘନ କଲାମାତ୍ରେ ଲୋକଙ୍କୁ ଗୁଳି କରାଯାଉଛି, ଅଥଚ ବେଆଇନଭାବେ ବିପୁଳ କଳାଧନ ଠୁଳ କରିଥିବା ଲୋକେ ବୁଲୁଛନ୍ତି ଖୁଲମଖୁଲା। ଅର୍ଥାତ୍‌ ସରକାରୀ ପ୍ରୋତ୍ସାହନରେ ବଢୁଛି ଦୁର୍ନୀତିର ଦୈର୍ଘ୍ୟ ଓ ପ୍ରସ୍ଥ। ରାଷ୍ଟ୍ରର ବିକାଶ ପ୍ରକ୍ରିୟାକୁ ବାଟବଣା କରୁଥିବା ଏହି ଦୁର୍ନୀତିର ସ୍ବରୂପକୁ ଦେଖିଲେ ମନେହେଉଛି ଏହା ସୀମାପାର ଆତଙ୍କବାଦଠାରୁ ଆହୁରି ଭୟଙ୍କର।
ବିଜୁପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri