କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ମାଟି ଓ ଆବର୍ଜନା ତଳେ ଫସିଥିବା ୨ ଜଣ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରାୟ ୯ ଦିନ ପରେ ଉଦ୍ଧାରକାରୀ ଦଳ ସୁଡ଼ଙ୍ଗ ଭିତରୁ ଏହି ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିଛି।
ଅଗଷ୍ଟ ୨୬ରେ ନେପାଳରେ ଭୟଙ୍କର ବନ୍ୟା ଆସିବା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପରେ ଅନେକ ଲୋକ ଫସିଥିବା ଖବର ମିଳିଥିଲା। ଉଦ୍ଧାର ଅଭିଯାନ ସମୟରେ ସୁଡ଼ଙ୍ଗ ଭିତରୁ ଲୋକଙ୍କ ସ୍ବର ଶୁଣାଯାଇଥିଲା। ଏହା ଫଳରେ ଭିତରେ ଫସିଥିବା ଲୋକମାନେ ଜୀବିତ ଥିବା ନେଇ ଆଶା ସୃଷ୍ଟି ହୋଇଥିଲା।
ଦୁଇ ଜଣ ବ୍ୟକ୍ତି ଜୀବନ୍ତ ଉଦ୍ଧାର ହେବା ପରେ ଉଦ୍ଧାର ଅଭିଯାନକୁ ଆହୁରି ଜୋରଦାର କରାଯାଇଛି। ସୁଡ଼ଙ୍ଗ ଭିତରେ ଆହୁରି କିଛି ଲୋକ ଫସିଥିବା ସୂଚନା ମିଳିଥିବାରୁ ଉଦ୍ଧାରକାରୀ ଦଳ ସୁଡ଼ଙ୍ଗର ଅନ୍ୟ ଅଂଶରେ ମଧ୍ୟ ଖୋଜାଖୋଜି ଜାରି ରଖିଛି।
ସୂଚନାଯୋଗ୍ୟ, ଅଗଷ୍ଟ ୨୬ରେ ହଠାତ୍ ଆସିଥିବା ଭୟଙ୍କର ବନ୍ୟାରେ ମଧ୍ୟ ନେପାଳର ତ୍ରିଶୁଳୀ ନଦୀ କରିଡର୍ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକ ହାଇଡ୍ରୋପାୱାର ପ୍ରକଳ୍ପ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଡ଼କ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଥିଲା।
ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ଉଦ୍ଧାରକାରୀ ଦଳ ସୁଡ଼ଙ୍ଗ ଓ ଅନ୍ୟାନ୍ୟ ଭିତ୍ତିଭୂମିରେ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଲଗାତାର ଅଭିଯାନ ଚଳାଇଛନ୍ତି। ୯ ଦିନ ପରେ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯିବା ଘଟଣା ଏହି ଉଦ୍ଧାର ଅଭିଯାନରେ ଏକ ବଡ଼ ଆଶା ସୃଷ୍ଟି କରିଛି।

