Categories: ଖେଳ

ବକ୍ସିଂ ଡେ ଟେଷ୍ଟ: ପ୍ରଥମ ଦିନର ସମ୍ମାନ ନେଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୨୬।୧୨- ସ୍ଥାନୀୟ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ଠାରେ ଗୁରୁବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ବକ୍ସିଂ ଡେ ଅବସରରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୪ ଉଇକେଟ୍‌ ହରାଇ ୨୫୭ ରନ ସଂଗ୍ରହ କରିଛି। ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ଓ ଷ୍ଟିଭ ସ୍ମିଥଙ୍କ ଅର୍ଦ୍ଧଶତକ ସହାୟତାରେ ପ୍ରଥମ ଦିନର ସମ୍ମାନ ଅଷ୍ଟ୍ରେଲିଆ ହାତେଇ ନେଇଛି। ପୂର୍ବରୁ ପ୍ରଥମ ମ୍ୟାଚ୍‌କୁ ୨୯୬ ରନର ବୃହତ୍‌ ବ୍ୟବଧାନରେ ଜିତି ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ବକ୍ସିଂ ଡେ ଥିବାରୁ ଏମ୍‌ସିଜି ଗ୍ରାଉଣ୍ଡରେ ୭୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ପ୍ରଥମ ଦିନର ଖେଳକୁ ଉପଭୋଗ କରିଥିଲେ।
ମ୍ୟାଚ୍‌ରେ ଟସ୍‌ ଜିତି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍ସ ପ୍ରଥମେ ଫିଲ୍ଡିଂ ନେବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ଇନିଂସର ପ୍ରଥମ ଓଭରରେ ଓପନର୍‌ ଜୋ ବନର୍‌ସ (୦)ଙ୍କ ଉଇକେଟ୍‌ ହରାଇଥିଲା। ବନର୍‌ସଙ୍କୁ କ୍ଲିନ୍‌ ବୋଲ୍ଡ କରି ଟ୍ରେଣ୍ଟ ବୋଲ୍ଟ କିଓ୍ବି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟ୍‌ରେ ଲାବୁସେନଙ୍କ ସହ ମିଶି ଅଭିଜ୍ଞ ଡେଭିଡ୍‌ ଓ୍ବାର୍ନର ଇନିଂସ ସଜାଡ଼ିଥିଲେ। ତେବେ ଦଳୀୟ ସ୍କୋର ୬୧ ରନ ହୋଇଥିବାବେଳେ ଓ୍ବାର୍ନର (୪୧) ବାମହାତୀ ଦ୍ରୁତ ବୋଲର୍‌ ନିଲ୍‌ ଓ୍ବାଙ୍ଗରଙ୍କ ବଲରେ ସ୍ଲିପରେ କ୍ୟାଚ୍‌ ହୋଇଥିଲେ। ସ୍ମିଥ୍‌ ଓ ଲାବୁସେନ ୩ୟ ଉଇକେଟ୍‌ରେ ୮୩ ରନର ଭାଗୀଦାରି କରି ଦଳକୁ ଦେଢ଼ଶହ ରନ୍‌ ନିକଟତର କରିଥିବାବେଳେ ଲାବୁସେନ ଆଉଟ୍‌ ହୋଇଥିଲେ। ଶ୍ରେଷ୍ଠ ଫର୍ମରେ ଥିବା ଲାବୁସେନ ୬୩ ରନ କରି କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଶିକାର ବନିଥିଲେ। ଏହାପରେ ମାଥ୍ୟୁ ଓ୍ବାଡେ (୩୮ ରନ) ମଧ୍ୟ କ୍ରିଜରେ ଜମି ଆସୁଥିବାବେଳେ ଗ୍ରାଣ୍ଡହୋମଙ୍କ ୨ୟ ଶିକାର ହୋଇଥିଲେ। ତେବେ ସ୍ମିଥ୍‌ ଓ ଟ୍ରାଭିସ ହେଡ୍‌ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ୯୦ ଓଭରରେ ଅଷ୍ଟ୍ରେଲିଆ ୪ ଉଇକେଟ୍‌ ବିନିମୟରେ ୨୫୭ ରନ କରିଛି। ସ୍ମିଥ୍‌ ୧୯୨ ବଲରୁ ୭୭ (୮ ଚୌକା ଓ ୧ ଛକା) ଓ ହେଡ୍‌ ୫୬ ବଲରୁ ୨୫ (୩ ଚୌକା) ରନ କରି ଅପରାଜିତ ରହିଛନ୍ତି।

Share