Categories: ଖେଳ

ଫ୍ଲଡ୍‌ ଲାଇଟ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଇନ୍ଦୋର, ୧୮।୧୧(ପି.ଟି.)- କୋଲକାତାର ଇଡେନ ଗାର୍ଡେନରେ ହେବାକୁଥିବା ଦିବାରାତ୍ର କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତୀୟ ଖେଳାଳିମାନେ ଏଠାରେ ଫ୍ଲଡ୍‌ ଲାଇଟ୍‌ରେ ଅଭ୍ୟାସ କରିଛନ୍ତି। ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ ତିନି ପେସ୍‌ ବୋଲର(ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ)ଙ୍କୁ ବାଦ୍‌ ଦେଇ ଅନ୍ୟ ଖେଳାଳି ଏହି ଅଭ୍ୟାସ ସେସନରେ ଯୋଗ ଦେଇଛନ୍ତି। ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ବାଂଲାଦେଶର ୧୯ ଉଇକେଟ ମଧ୍ୟରୁ ୧୪ଟି ଉଇକେଟ ଏହି ତିନି ପେସ୍‌ ବୋଲର ହାସଲ କରିଥିଲେ। ଏହି ମ୍ୟାଚରେ ଭାରତ ଏକ ଇନିଂସ ୧୩୦ ରନରେ ବିଜୟ ହାସଲ କରିଥିଲା। ତେଣୁ କୋହଲି ଓ ରୋହିତଙ୍କ ସହିତ ଏହି ପେସ୍‌ ବୋଲରମାନଙ୍କୁ ବ୍ରେକ୍‌ ଦିଆ ଯାଇଛି। ଇଡେନ୍‌ରେ ଭାରତର ସର୍ବପ୍ରଥମ ପିଙ୍କ୍‌ ବଲ୍‌ ଟେଷ୍ଟ ଚଳିତମାସ ୨୨ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଥମ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ବାଲ ଓ ଉଇକେଟ କିପର ରିଦ୍ଧିମାନ ଶାହ ମଧ୍ୟ ଟ୍ରେନିଂ ସେସନରେ ଉପସ୍ଥିତ ନ ଥିଲେ। ଚେତେଶ୍ୱର ପୂଜାରା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ହନୁମା ବିହାରି, ଶୁବମନ୍‌ ଗିଲ୍‌ ଓ କୁଲଦୀପ ଯାଦବ ଦୀର୍ଘ ସମୟ ଅଭ୍ୟାସ କରିଥିବା ପରିଲକ୍ଷିତ ହୋଇଥିଲା। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଓ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ୭ ଖେଳାଳି ଅଭ୍ୟାସ କରିଥିଲେ।
ପ୍ରଥମ ଟେଷ୍ଟ ୩ ଦିନରେ ଶେଷ ହୋଇ ଯାଇଥିଲା। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଧିକ ସମୟ ମିଳିଥିବାରୁ ଭାରତୀୟ ଖେଳାଳିମାନେ ଏଠାରେ ଆଉ ୨ ଦିନ ରହି ଲାଇଟ୍‌ରେ ଅଭ୍ୟାସ କରୁଛନ୍ତି। କେବଳ ଭାରତୀୟ ଦଳ ନୁହେଁ ବାଂଲାଦେଶ ଦଳ ମଧ୍ୟ ସମୟର ସଦୁପଯୋଗ କରିଛି। ଭ୍ରମଣକାରୀ ଦଳର ଖେଳାଳିମାନେ ମଧ୍ୟ ଲାଇଟ୍‌ରେ ଟ୍ରେନିଂ ନେଇଛନ୍ତି। ଉଭୟ ଭାରତ ଓ ବାଂଲାଦେଶ ଦଳ ୧୯ ତାରିଖରେ କୋଲକାତା ଯାଇ ଇଡେନ ଗାଡେନ ଗ୍ରାଉଣ୍ଡରେ ୨ ଦିନ ଅଭ୍ୟାସ କରିବା କାର୍ଯ୍ୟକ୍ରମ ରହିଛି।

Share