Categories: ଖେଳ

ଫ୍ରେଞ୍ଚ୍‌ ଓପନ୍‌: ନାଡ଼ାଲ, ଜୋକୋଭିଚ୍‌ଙ୍କ ଅଗ୍ରଗତି

ପ୍ୟାରିସ୍‌,୨୮।୫ (ଏଏଫ୍‌ପି)- ଗତଥରର ଚାମ୍ପିୟନ ସ୍ପେନ୍‌ର ରାଫାଲ ନାଡ଼ାଲ ଓ ସର୍ବିଆ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୧୭ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ନାଡ଼ାଲ ୬-୨, ୬-୧, ୬-୩ ସେଟ୍‌ରେ ଜର୍ମାନ କ୍ୱାଲିଫାୟର ତଥା ବିଶ୍ୱର ୧୧୪ ନମ୍ବର ଖେଳାଳି ୟାନିକ୍‌ ହାନଫମ୍ୟାନଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଏଥି ସହିତ ନାଡ଼ାଲ ଦ୍ୱାଦଶ ଫ୍ରେଞ୍ଚ ଓପନ ଟାଇଟଲ ହାସଲ ପାଇଁ ଗୋଟିଏ ପାଦ ଆଗକୁ ବଢିଛନ୍ତି। ସେହିପରି ବିଶ୍ୱର ୧ ନମ୍ବର ଖେଳାଳି ଜୋକୋଭିଚ୍‌ ୬-୪, ୬-୨, ୬-୨ ସେଟରେ ପୋଲାଣ୍ଡର ହୁବର୍ଟ ହୁର୍କାଜଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ନାଡ଼ାଲ ଚଳିତ କ୍ଲେ- କୋର୍ଟ ସିଜନରେ କ୍ରମାଗତ ୩ଟି ଟୁର୍ନାମେଣ୍ଟର ସେମିଫାଇନଲରେ ପରାସ୍ତ ହୋଇଥିଲେ। ତେବେ ଇଟାଲିଆନ ଓପନ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ସେ ଟାଇଟଲ ଜିତିଥିଲେ। ଜୋକୋଭିଚ୍‌ଙ୍କୁ ହରାଇ ସେ ଏହି ସଫଳତା ପାଇଥିଲେ। କ୍ଲେ-କୋର୍ଟର ରାଜା କୁହାଯାଉଥିବା ନାଡ଼ାଲ ପ୍ରେଞ୍ଚ୍‌ ଓପନରେ ଏପର୍ଯ୍ୟନ୍ତ ୮୭ଟି ମ୍ୟାଚ୍‌ ଜିତିଥିବା ବେଳେ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି।

Share