ଫେୟାରୱେଦର ରାସ୍ତା ଭୁଶୁଡିଲା

ଅତାବିରା, ୨୭।୨ (ଡି.ଏନ.ଏ) ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଝାଉଁଯୋର ନଦୀରେ ନିର୍ମାଣ କରାଯାଇଥିବା ଫେୟାରୱେଦର ରାସ୍ତା ଅଦିନିଆ ବର୍ଷା ଯୋଗୁ ଉପରମୁଣ୍ଡରୁ ପାଣି ଆସି ଭୁଶୁଡି ଯାଇଛି । ନଦୀ ଭିତରେ ଏହି ରାସ୍ତାର ଉଚ୍ଚତା କମ୍‌ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟରେ ଝାଉଁଯୋରରେ ବୁଗବୁଗା, ଲରମ୍ଭା, କାଦୋବାହାଲ, ଟୁକୁରା, ଦୁଲମପୁର, କୁମେଲସିଂହା, ଟାମ୍ପରସରା, ଜହ୍ନାପଡା, ଝିଲିମିଣ୍ଡା ୯ଟି ପଞ୍ଚାୟତର ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ଅସ୍ଥାୟୀ ଫେୟାର ଓ୍ବେଦର ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତାରେ ଏହିସବୁ ପଞ୍ଚାୟତର ସ୍କୁଲ, କଲେଜ ଛାତ୍ରୀଛାତ୍ର, ଜନସାଧାରଣ ଯିବା ଆସିବା କରିଥାନ୍ତି। ତେବେ ଗତ ଦୁଇଦିନ ଅଦିନଆ ବର୍ଷା ଯୋଗୁ ଉପରମୁଣ୍ଡରୁ ପ୍ରବଳ ପାଣି ଆସିଯିବାରୁ ଏହି ଫେୟାର ଓ୍ବେଦର ରାସ୍ତା ଭାସିଯାଇଛି । ଫଳରେ ୯ଟି ପଞ୍ଚାୟତର ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି । ବୁଗବୁଗା-ପୋଡବାଡି ଝାଉଁଯୋର ମଧ୍ୟ ଭାଗରେ ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅଇଁଠୁ ସାହୁଙ୍କୁ ଏକ ଦାବିପତ୍ର ଦେଇଥିଲେ । ସେତେବେଳେ ସ୍ଥାୟୀ ବ୍ରିଜ୍‌ ନିର୍ମାଣ କରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ହେଲେ ସେହି ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ବରଗଡ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।