ଫେରାର ନିର୍ବାହୀ ଯନ୍ତ୍ରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଭିଜିଲାନ୍ସ

ଭଦ୍ରକ ଅଫିସ,୧୮।୨- ଲାଞ୍ଚ ନେବା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାସେ ହେଲା ଫେରାର ଥିବା ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୧)ର ନିର୍ବାହୀ ଯନ୍ତ୍ରୀ ମାନସ କୁମାର ମହାନ୍ତିଙ୍କୁ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱର ପଟିଆସ୍ଥିତ ତାଙ୍କ ଘରୁ ଗିରଫ କରିଛି। ମଙ୍ଗଳବାର ଗିରଫ ପରେ ତାଙ୍କୁ ବାଲେଶ୍ୱର ଭିଜିଲାନ୍ସ କୋର୍ଟକୁ ଅଣାଯାଇଛି। ତାଙ୍କର ମୋଟ ୩ କୋଟି ୯୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ୯ ତାରିଖରେ ଠିକାଦାର ଦିଗମ୍ବର ଦାସଙ୍କଠାରୁ ୮ ଲକ୍ଷ ୨୦ ହଜାର ଟଙ୍କାର ବିଲ୍‌କୁ ଅନ୍‌ଲାଇନ କରାଇଦେବା ପାଇଁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୧)ର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ଅଭିଯୋଗକାରୀ ଠିକାଦାର ଦିଗମ୍ବର ଓ ଗିରଫ ପ୍ରିୟବ୍ରତଙ୍କ ବୟାନକୁ ଭିତ୍ତିକରି ଭିଜିଲାନ୍ସ ଟିମ୍‌ ନିର୍ବାହୀଯନ୍ତ୍ରୀ ମାନସଙ୍କ କାର୍ଯ୍ୟକୁ ସନ୍ଦେହ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମୋବାଇଲ ସୁଇଚ୍‌ଅଫ୍‌ କରି ସେ ଫେରାର ଥିବାରୁ ଭିଜିଲାନ୍ସ ଟିମ୍‌ ଭଦ୍ରକରେ ଭଡ଼ାରେ ଚାଲିଥିବା ତାଙ୍କ ଆବାସିକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲା। ଏହାପରେ ଅଧିକ ତନାଘନା ଆରମ୍ଭ କରିଥିଲା ଭିଜିଲାନ୍ସ। ମଙ୍ଗଳବାର ଏହି ଟିମ୍‌ ଭୁବନେଶ୍ୱର ପଟିଆ ସ୍ଥିତ ମାନସଙ୍କ ଘରେ ପହଞ୍ଚି ଖାନ୍‌ତଲାସ କରି ତାଙ୍କୁ ଗିରଫ କରିଥିଲା। ଏବେ ଭିଜିଲାନ୍ସ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ କରୁଛି।