Categories: ଖେଳ

ଫେଡ୍‌ କପ୍‌ ଟିମ୍‌ ଘୋଷିତ: ୪ବର୍ଷ ପରେ ଦଳକୁ ଫେରିଲେ ସାନିଆ

ନୂଆଦିଲ୍ଲୀ,୨୫ା୧୨ (ପି.ଟି.)-ଭାରତୀୟ ଫେଡ୍‌ କପ୍‌ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଏଥିରେ ୫ଜଣ ଖେଳାଳିଙ୍କୁ ନିଆଯାଇଛି। ଦେଶର ଟପ୍‌ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ଏଥିରେ ସ୍ଥାନ ପାଇଛନ୍ତି। ଡବଲ୍ସ ଷ୍ଟାର ସାନିଆ ମିର୍ଜା ୪ ବର୍ଷ ବ୍ୟବଧାନରେ ଦଳକୁ ଫେରିଛନ୍ତି। ସାନିଆ ଶେଷଥର ପାଇଁ ୨୦୧୬ରେ ଫେଡ୍‌ କପ୍‌ ଖେଳିଥିଲେ। ଘରସଂସାର କରିବା ଲାଗି ସେ ୨୦୧୭ ଅକ୍ଟୋବରରୁ ୨ବର୍ଷ ପାଇଁ ବିରତି ନେଇଥିଲେ। ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ରିୟା ଭାଟିଆ (୩୭୯), ରୀତୁଜା ଭୋସ୍‌ଲେ (୪୬୬) ଓ କର୍ମନ କୌର ଥାଣ୍ଡି (୫୬୮)। ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ତାଲିକାରେ ଅଙ୍କିତା (୧୮୦) ଏହି ସମସ୍ତ ଖେଳାଳିଙ୍କଠାରୁ ଆଗରେ ରହିଛନ୍ତି। ପୂର୍ବତନ ଡେଭିସ କପ୍‌ ଖେଳାଳି ବିଶାଲ ଉପୁଲଙ୍କୁ ଦଳର ଅଧିନାୟକ କରାଯାଇଥିବାବେଳେ ପୂର୍ବତନ ଡେଭିସ୍‌ କପ୍‌ ଖେଳାଳି ଅଙ୍କିତା ଭ୍ରାମ୍ବିଙ୍କୁ ଦଳର କୋଚ୍‌ କରାଯାଇଛି। ସୋଜନ୍ୟ ବାଭିସେଟ୍ଟିଙ୍କୁ ରିଜର୍ଭ ଖେଲାଳି ଭାବେ ନିଆଯାଇଛି। ସାନିଆ ବିଶ୍ୱର ୩୮ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନ୍‌ର ନାଡିଆ କିଚେନକ୍‌ଙ୍କ ସହିତ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୂଚନାଯୋଗ୍ୟ, ସାନିଆ ତାଙ୍କ କ୍ୟାରିୟରରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ତନ୍ମଧ୍ୟରେ ତିନୋଟି ମିକ୍ସଡ ଡବଲ୍ସ ସାମିଲ। ବହୁ ଇଭେଣ୍ଟରେ ସେ ପଦକ ଜିତିଥିବାବେଳେ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ହାସଲ କରିପାରିଛନ୍ତି।

Share