Categories: ଖେଳ

ଫେଡରରଙ୍କୁ ହରାଇଲେ ଜୋକୋଭିଚ୍‌

ମେଲବୋର୍ନ, ୩୧ା୧ (ଏଏଫ୍‌ପି)-ରୋଜର ଫେଡରରଙ୍କୁ ସିଧାସଳଖ ସେଟ୍‌ରେ ହରାଇ ନୋଭାକ ଜୋକୋଭିଚ୍‌ ୮ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଟପ୍‌ ସିଡ୍‌ ଆଶଲେ ବାର୍ଟିଙ୍କ ବିପକ୍ଷରେ ବିଜୟ ହାସଲ କରି ଆମେରିକାର ସୋଫିଆ କେନିନ୍‌ ମହିଳା ସିଙ୍ଗଲ୍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ସେଟ୍‌ରେ ଏକ ବ୍ରେକ୍‌ ଡାଉନ୍‌ରୁ ଜୋକୋଭିଚ୍‌ ଦୁଇଥର ଲଢୁଆ ପ୍ରତ୍ୟାବର୍ତ୍ତନ କରିଥିଲେ। ଏକ ଟାଇବ୍ରେକରରେ ପ୍ରାଧାନ୍ୟ ବିସ୍ତାର ପରେ ଆଉ ପଛକୁ ଫେରି ନ ଥିଲେ। ମ୍ୟାଚକୁ ସେ ୭-୬ (୭/୧), ୬-୪, ୬-୩ରେ ଜିତି ନେଇଥିଲେ। ମ୍ୟାଚ ବେଳେ ଫେଡରର ଥରେ ମେଡିକାଲ ଟାଇମ୍‌ ଆଉଟ୍‌ର ଆବଶ୍ୟକ କରିଥିଲେ। ମେଲବୋର୍ନ ପାର୍କରେ ୬ଥର ଚାମ୍ପିୟନ ୩୮ବର୍ଷୀୟ ଫେଡରର ଟେନିସ ସ୍ୟାଣ୍ଡ୍‌ଗ୍ରେନ୍‌ଙ୍କ ବିପକ୍ଷ ୫ ସେଟ୍‌ ବିଶିଷ୍ଟ କ୍ୱାର୍ଟରଫାଇନାଲ ମ୍ୟାଚ ଖେଳୁଥିବାବେଳେ ତାଙ୍କ ଉରୁସନ୍ଧିରେ ଆଘାତ ଲାଗିଥିଲା। ତେଣୁ ସେମିଫାଇନାଲରୁ ସେ ଓହରିଯାଇପାରନ୍ତି ବୋଲି ଶୁଣିବାକୁ ମିଳିଥିଲା। ଶୁକ୍ରବାର ଅନ୍ୟ ସେମିଫାଇନାଲ ମୁକାବିଲା ଡୋମିନିକ୍‌ ଥିମ୍‌ ଏବଂ ଆଲେକ୍‌ଜାଣ୍ଡର ଜେଭରେଭଙ୍କ ମଧ୍ୟରେ ହେବ। ଥିମ୍‌ ବୁଧବାର ବିଶ୍ୱର ନମ୍ବର ଓ୍ବାନ ଖେଳାଳି ରାଫାଲ ନାଡାଲଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ମହିଳା ବିଭାଗରେ ୨୧ ବର୍ଷୀୟା କେନିନ୍‌ ଅଷ୍ଟ୍ରେଲିଆର ବାର୍ଟିଙ୍କୁ ୭-୬, (୮/୬), ୭-୫ ସେଟ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଫାଇନାଲରେ ସେ ଗାର୍ବିନ ମୁଗୁରୁଜାଙ୍କୁ ଭେଟିବେ। ମୁଗୁରୁଜା ଅନ୍ୟ ଏକ ସେମିଫାଇନାଲରେ ଓ୍ବିମ୍ବେଲଡନ ଚାମ୍ପିୟନ ସିମୋନା ହାଲେପ୍‌ଙ୍କୁ ୭-୬ (୧୦/୮), ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥର ଟୁର୍ନାମେଣ୍ଟରେ ଆମେରିକାର ସେରେନା ଓ୍ବିଲିୟମ୍ସ ଏବଂ ୧୫ ବର୍ଷୀୟା କୋକୋ ଗଫ୍‌ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା। କେନିନଙ୍କ କଥା ଆଲୋଚନା ପରିସରରେ ନ ଥିଲା। ମାତ୍ର ସେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବାକୁ ଯାଉଛନ୍ତି।

Share