Categories: ଖେଳ

ଫୁଟବଲ ଟେକ୍ନିକ ସୁଧାରିଲେ ୯୬ ଖେଳାଳି

ଭୁବନେଶ୍ୱର, ୨୭।୫(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗତ ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଛି। ଏହି ଶିବିରରେ ୧୩ ବର୍ଷରୁ କମ୍‌ ବାଳକ ବିଭାଗରେ ୪୭, ୧୫ରୁ ୧୭ ବର୍ଷ ବିଭାଗରେ ୨୪ ଏବଂ ୧୮ରୁ ୨୨ ବର୍ଷ ବିଭାଗରେ ୨୫ ବାଳକ ଅଂଶଗ୍ରହଣ କରିଥିଲେ। ୩ ସପ୍ତାହଧରି ଅନୁଷ୍ଠିତ ଏହି ଶିବିରରେ ୭ ପ୍ରଶିକ୍ଷକ ୯୬ ବାଳକଙ୍କୁ ଫୁଟବଲର ମୌଳିକ ଜ୍ଞାନ ସମ୍ପର୍କରେ ଶିକ୍ଷା ଦେବାସହ ଟେକ୍ନିକରେ ଥିବା ତ୍ରୁଟିକୁ ସୁଧାରିଥିଲେ। ଶିବିରର ବିଭିନ୍ନ ଦିବସରେ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲିକ, ଅନ୍ତର୍ଜାତୀୟ ଖେଳାଳି ବିଜୟଲକ୍ଷ୍ମୀ ସାହୁ, ସୁପ୍ରିୟା ରାଉତରାୟ, ଫଇଜିଓଥେରାପିଷ୍ଟ ମୁକ୍ତିପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ନିଜ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଉଦ୍‌ଯାପନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ନବନିର୍ବାଚିତ ଅନନ୍ତ ନାରାୟଣ ଜେନା, ଅନୁଗୋଳ-ସୁକିନ୍ଦା ରେଲଓ୍ବେ ଏମ୍‌ଡି ବିଲୀପ ସାମନ୍ତରାୟ, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, ଆୟୋଜକ କ୍ଲବର ସମ୍ପାଦକ ଦିଲୀପ ଦାସ, ସଭାପତି ତପନ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ ଦାସ, ଅତିଥିଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଆଇଏଫଏଫର ଲାଇସେନ୍ସପ୍ରାପ୍ତ ପ୍ରଶିକ୍ଷକ ସୁଶାନ୍ତ ମହାନ୍ତି ନିଜ ତରଫରୁ ୩ ଖେଳାଳି ସୂର୍ଯ୍ୟରଞ୍ଜନ ନାୟକ, ରିତେଶ ନାୟକ ଓ ସମ୍ବିତ କୁମାର ନାୟକଙ୍କୁ ସ୍କୁଲ୍‌ କିଟ୍‌ ବ୍ୟାଗ୍‌ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅମିୟ କୁମାର ମିଶ୍ର।

Share