Categories: ଖେଳ

ଫିଫା ଟିମ୍‌ର ଡିଓ୍ବାଇ ପାଟିଲ ଷ୍ଟାଡିୟମ ନିରୀକ୍ଷଣ

ମୁମ୍ବାଇ, ୨।୧୨(ପି.ଟି.)- ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ଲାଗି ସମ୍ଭାବ୍ୟ ୫ ଭେନ୍ୟୁ ତାଲିକାରେ ସ୍ଥାନ ପାଇଥିବା ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମକୁ ରବିବାର ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫାର ଏକ ଟିମ୍‌ ନିରୀକ୍ଷଣ କରିଛି। ଫିଫା ଟୁର୍ନାମେଣ୍ଟ ଓ ଇଭେଣ୍ଟ ଡିଭିଜନ ମୁଖ୍ୟ ଓଲିଭର ଭୋଗତ୍‌ ଏହି ଅବସରରେ ଷ୍ଟାଡିୟମର ପ୍ରସ୍ତୁତି ଓ ଏଠାରେ ଉପଲବ୍ଧ ସୁବିଧାରେ ସନ୍ତୋଷ ପ୍ରକଟ କରିଛନ୍ତି। ‘ବର୍ତ୍ତମାନ ଏଠାରେ ଉପଲବ୍ଧ ଭିତ୍ତିଭୂମି ବହୁତ ଭଲ ରହିଛି। ଏଠାରେ ଯାହା ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ଏକ ଅନୁଭବୀ ଓ ମଜଭୁତ ଟିମ୍‌, ଯେଉଁମାନେ କି ପୂର୍ବରୁ ଫିଫା ବିଶ୍ୱକପ୍‌କୁ ସଫଳତାର ସହ ଆୟୋଜନ କରିଛନ୍ତି’ ବୋଲି ଓଲିଭର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଫିଫା ଲୋକାଲ ଅର୍ଗାନାଇଜିଂ କମିଟି (ଏଲ୍‌ଓସି) ଟୁର୍ନାମେଣ୍ଟ ନିର୍ଦ୍ଦେଶିକା ରୋମା ଖାନ୍ନା ମଧ୍ୟ ଷ୍ଟାଡିୟମ ପ୍ରସ୍ତୁତିରେ ସନ୍ତୁଷ୍ଟ ହୋଇଛନ୍ତି। ଅନ୍ତିମ ଭେନ୍ୟୁ ଭାବେ ଫିଫା ଟିମ୍‌ ନଭି ମୁମ୍ବାଇ ଷ୍ଟାଡିୟମ ନିରୀକ୍ଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତା ବର୍ଷ ପ୍ରାରମ୍ଭିକ ପର୍ଯ୍ୟାୟରେ ବଳକା ରହିଥିବା ଷ୍ଟାଡିୟମର ପ୍ରସ୍ତୁତି ନିରୀକ୍ଷଣ କରିବାକୁ ଫିଫା ଟିମ୍‌ ଆସିବ। ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଫିଫାର ଏହି ଟିମ୍‌ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିରୀକ୍ଷଣ କରି ସନ୍ତୋଷ ଜାହିର କରିଥିଲା।

Share