Categories: ଖେଳ

ଫିଟ୍‌ ରହିବାକୁ ଯୋଗ କରୁଛନ୍ତି ଗେଲ୍‌

ନୂଆଦିଲ୍ଲୀ,୧୬।୫(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଏଥର କ୍ୟାରିୟର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୯ ବର୍ଷରେ ମଧ୍ୟ ସେ ନିଜକୁ ଆବଶ୍ୟକ ଅନୁସାରେ ଫିଟ୍‌ ରଖିପାରିଛନ୍ତି। ଏଥିପାଇଁ ସେ ନିଜସ୍ବ ଢ଼ଙ୍ଗରେ ପ୍ରୟାସ ଜାରି ରଖିଛନ୍ତି। ସେ ଜିମ୍‌ ଯିବା ବଦଳରେ ଯୋଗ କରୁଛନ୍ତି। ସେ ସ୍ବତଃପ୍ରବୃତ ଭାବେ ଶକ୍ତିଶାଳୀ ଓ ଦୃଢ। ତେଣୁ ତାଙ୍କ ଜିମ୍‌ ଯିବାର ଆବଶ୍ୟକାତା କମ୍‌ ରହିଛି। ତେଣୁ ସେ ବ୍ୟାପକ ଭାବେ ଯୋଗ କରୁଛନ୍ତି। ସଦ୍ୟ ସମାପ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୪୦.୮୩ ହାରରେ ମୋଟ ୪୯୦ ରନ କରି ଜବରଦସ୍ତ ଫର୍ମର ନମୁନା ପ୍ରଦର୍ଶନ କରିଛନ୍ତି। ଏହି ଫର୍ମକୁ ଆସନ୍ତା ୩୦ ତାରିଖରେ ଇଂଲଣ୍ଡରେ ଆରମ୍ଭ ହେବାକୁଥିବା ବିଶ୍ୱକପ୍‌ରେ ସେ ଜାରି ରଖିବାକୁ ଚେଷ୍ଟା କରୁଛନ୍ତି। ମୋର ଅଭିଜ୍ଞତା ରହିଛି। ତେଣୁ ବିଶ୍ୱକପ୍‌ରେ କିଭଳି ଖେଳିବାକୁ ତାହା ଅବଶ୍ୟ ମୁଁ ଜାଣିଛି। ଏବେ ଭଲ ବ୍ୟାଟିଂ କରୁଛି ଓ ବିଶ୍ୱକପ୍‌ରେ ଏହା ଜାରି ରହିବ ବୋଲି ଗେଲ୍‌ ଆଶାପ୍ରକାଶ କରିଛନ୍ତି।

ପ୍ରଦର୍ଶନ ଉପରେ ବୟସର ପ୍ରଭାବ ରହିବା କଥା ସେ ସ୍ବୀକାର କରିଛନ୍ତି। ଆଇପିଏଲ୍‌ରେ ସେ ୩୪ ଓ ଇଂଲଣ୍ଡ ବିପକ୍ଷ ୪ଟି ଦିନିକିଆରେ ସେ ୩୯ଟି ଛକା ମାରିଛନ୍ତି। ତେବେ ଫିଟ୍‌ ରହିବା ନିହାତି ଜରୁରୀ ବୋଲି ସେ କହିଛନ୍ତି। ଇଂଲଣ୍ଡ ବିପକ୍ଷ ଗତ ଦିନିକିଆ ସିରିଜରେ ସେ ୧୦୬ରନ ଆଭରେଜରେ ୪୨୪ ରନ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସାମିଲ ରହିଛି। ୧୯୯୯ରେ ପଦାର୍ପଣ କରିଥିବା ଗେଲ୍‌ ଦିନିକିଆରେ ୧୦,୧୫୧ ରନ ସଂଗ୍ରହ କରିଛନ୍ତି।

Share