Categories: ଖେଳ

ଫନୀ ବାତ୍ୟା ପାଇଁ ହକି ଇଣ୍ଡିଆର ୩୧ ଲକ୍ଷ ଟଙ୍କା ସାହାଯ୍ୟ

ଭୁବନେଶ୍ୱର,୮।୮(ସ୍ପୋଟ୍ସ ବ୍ୟୁରୋ)- ପ୍ରଳୟଙ୍କାରୀ ଫନୀ ବାତ୍ୟା ପାଇଁ ହକି ଇଣ୍ଡିଆ ତରଫରୁ ଓଡ଼ିଶା ସରକାରଙ୍କୁ ଅର୍ଥ ପ୍ରଦାନ କରାଯାଇଛି। ହକି ଇଣ୍ଡିଆ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୩୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ହକି ଇଣ୍ଡିଆ ଅଧ୍ୟକ୍ଷ ମୁସ୍ତାକ ଅହମ୍ମଦ ଓ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ମୁଖ୍ୟ ନରିନ୍ଦର ବାତ୍ରା ବୁଧବାର ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ପ୍ରଦାନ କରିଥିଲେ। ଜୁନ୍‌ ୬ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍ସର ମ୍ୟାଚ୍‌ ଟିକେଟ ବିକ୍ରିରୁ ଏହି ପରିମାଣର ଅର୍ଥ ଉପଲବ୍ଧ ହୋଇଥିଲା। ପୂର୍ବରୁ ମଧ୍ୟ ଟିକେଟ ବିକ୍ରିରୁ ମିଳିବାକୁ ଥିବା ସବୁ ଅର୍ଥକୁ ଫନୀ ବାତ୍ୟା ପୀଡିତଙ୍କୁ ସାହାଯ୍ୟାର୍ଥେ ପ୍ରଦାନ କରିବାକୁ ହକି ଇଣ୍ଡିଆ ପ୍ରତିଶ୍ରୁତି ଦେଇଥିଲା। ଶେଷରେ ଏହାକୁ ହକି ଇଣ୍ଡିଆ ପୂରଣ କରିଛି। ଉଲ୍ଲେଖଥାଉ କି, ଚଳିତ ବର୍ଷ ଫନୀ ଯୋଗୁ ଓଡ଼ିଶା ଉପକୂଳରେ ଶ୍ରଭୂତ କ୍ଷତି ହୋଇଥିଲା ଓ ରାଜ୍ୟର ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲା। ରାଜ୍ୟର ୧୪ଟି ଜିଲାର ୧୫୯ଟି ବ୍ଲକର ଦେଢ଼ କୋଟି ଲୋକ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ। ତେବେ ଏହା ସତ୍ତ୍ୱେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ସଫଳତାର ସହ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଓଡ଼ିଶା ସରକାରଙ୍କ ସହାୟତା ଓ ରାଜ୍ୟ ଲୋକଙ୍କ ଭଲ ପାଇବା ଯୋଗୁ ଏହି ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଥିଲା ବୋଲି ହକି ଇଣ୍ଡିଆ କହିଛି।

Share