Categories: ଖେଳ

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗଲ୍‌, ଜୟପୁର ବିଜୟୀ

ଜୟପୁର, ୨୬।୯(ପି.ଟି.)- ଏଠାରେ ଚାଲିଥିବା ପ୍ରୋ କବାଡ଼ି ଲିଗ୍‌ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ ଗୁଡିକରେ ବେଙ୍ଗଲ ଓ୍ବାରିୟର୍ସ ଓ ଜୟପୁର ପିଙ୍କ ପାନ୍ଥର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲ ୪୦-୩୯ରେ ତେଲୁଗୁ ଟାଇଟାନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗଲ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି। ମନିନ୍ଦର ସିଂ ୧୭ ପଏଣ୍ଟ ସ୍କୋର କରି ବେଙ୍ଗଲ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ବେଙ୍ଗଲର ସୁକେଶ ହେଗ୍‌ଡେ ୫ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟପଟେ ଟାଇଟାନ୍ସ ତରଫରୁ ସିଦ୍ଧାର୍ଥ ଦେଶାଇ ୧୫ ଓ ରଜନୀଶ ୬ ପଏଣ୍ଟ ସ୍କୋର କରିଥିଲେ।
ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଜୟପୁର ୪୩-୩୪ରେ ପୁନେରି ପଲଟନକୁ ପରାସ୍ତ କରିଛି। ଦୀପକ ନିଓ୍ବାସ ହୁଦା ଦମ୍‌ଦାର ପ୍ରଦର୍ଶନ କରି ୧୨ ଓ ଦୀପକ ନରଓ୍ବାଲ ୧୧ ପଏଣ୍ଟ ହାସଲ କରି ଜୟପୁର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସବୁ ବିଭାଗରେ ପାନ୍ଥର୍ସ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏହି ବିଜୟ ସହ ଜୟପୁର ତା’ର ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପଟେ ପୁନେରି ପଲଟନ ତରଫରୁ ପଙ୍କଜ ମୋହିତ ୧୪ ଓ ମନଜିତ ୮ ପଏଣ୍ଟ ସ୍କୋର କରିଥିଲେ।

Share