ପ୍ରେମିକା ଚନ୍ଦ୍ରଭାଗା – ନାଟ୍ୟକାର ହର ବାରିକ

ଓଡ଼ିଆ ଯାତ୍ରାଜଗତର ସେ ହେଉଛନ୍ତି ଜଣେ ମାତ୍ର ନିର୍ଦ୍ଦେଶକ ଯିଏ ଯାତ୍ରାର ମୌଳିକତା ଉପରେ ଗୁରୁତ୍ୱ ଦିଅନ୍ତି। ଓଡ଼ିଆ ଯାତ୍ରାଜଗତର ସେ ହେଉଛନ୍ତି ଜଣେ ମାତ୍ର ନାଟ୍ୟକାର ଯିଏ ନାଟକକୁ ସାହିତ୍ୟର ସର୍ବଶ୍ରେଷ୍ଠ ବିଭବ ବୋଲି ମନେକରନ୍ତି। ସମ୍ଭବତଃ ସେଥିପାଇଁ ତାଙ୍କର ପ୍ରତ୍ୟେକ ନାଟକ ମନେହୁଏ ଗୋଟିଏ ଗୋଟିଏ କ୍ଲାସିକ୍‌। ପ୍ରଶ୍ନୋତ୍ତର ବେଳେ ସେ ଖୁବ୍‌ କମ୍‌ କଥା କହନ୍ତି। ବାଛିବାଛି ଅଳ୍ପ ଶବ୍ଦ ପ୍ରୟୋଗ କରନ୍ତି। ମାତ୍ର ତାଙ୍କର ସେହି ଅଳ୍ପକଥା ଆଉ ଅଳ୍ପଶବ୍ଦରେ ଭରି ହୋଇ ରହିଥାଏ ଅସୀମିତ ଊର୍ଜା। ସେ ହେଉଛନ୍ତି ନାଟ୍ୟକାର, ନିର୍ଦ୍ଦେଶକ, କବି ତଥା ଗୀତିକାର ହର ବାରିକ। ଚଳିତଯାତ୍ରା ବର୍ଷରେ ‘ସୂର୍ଯ୍ୟମନ୍ଦିର’ରେ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’ ନାଟକ କରି ଚର୍ଚ୍ଚାରେ ଅଛନ୍ତି ଏହି ମୂର୍ଦ୍ଧନ୍ୟ ନାଟ୍ୟକାର ତଥା ନିର୍ଦ୍ଦେଶକ।

ଯଦି କବିବର ରାଧାନାଥ ରାୟଙ୍କ ମିଥ୍‌ ଉପଜୀବ୍ୟ କାବ୍ୟ ‘ଚନ୍ଦ୍ରଭାଗା’କୁ ଦେଖାଯାଏ ତା’ହେଲେ ଏକଥା ସ୍ପଷ୍ଟ ହୋଇଯିବ ଯେ, ସୂର୍ଯ୍ୟ ତଥା ସୂର୍ଯ୍ୟମନ୍ଦିର (କୋଣାର୍କ) ସହିତ ଚନ୍ଦ୍ରଭାଗାର ସମ୍ପର୍କ କେତେ ନିବିଡ଼ ଆଉ ଘନିଷ୍ଠ। ସଂଯୋଗବଶତଃ, ସେହି ‘ଚନ୍ଦ୍ରଭାଗା’ ଶୀର୍ଷକଟି ନାଟକ ‘ସୂର୍ଯ୍ୟମନ୍ଦିର’ ଯାତ୍ରାନୁଷ୍ଠାନରେ ହିଁ ପରିବେଷିତ ହେଉଛି। ତେବେ କାହାଣୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ନାଟ୍ୟକାର ସ୍ପଷ୍ଟଭାବେ କହନ୍ତି, ”କବିବରଙ୍କ ‘ଚନ୍ଦ୍ରଭାଗା’ ମିଥ୍‌ ସହିତ ନାଟକରେ ଥିବା କାହାଣୀର କିଛି ସମ୍ପର୍କ ନାହିଁ। ସମ୍ପୂର୍ଣ୍ଣ ଅଲଗା। ତେବେ ଚନ୍ଦ୍ରଭାଗା କାବ୍ୟକୁ ମୁଁ ସେଥିରେ ଦୃଷ୍ଟାନ୍ତ ଭାବରେ ନେଇଛି। ପୁଣି କାବ୍ୟ ପଙ୍‌କ୍ତିକୁ ବି ସଂଳାପ ଭାବରେ ଉଦ୍ଧାରକରି ନାଟକଟିକୁ ଶସ୍ତାପଣରୁ ବାହାର କରିଛି ଓ ସାହିତ୍ୟାଭିମୁଖୀ କରିଛି। ନାଟକଟି ଏକ ସେମି-କ୍ଲାସିକ୍‌ ଡ୍ରାମା। ଚନ୍ଦ୍ରଭାନୁ ଏବଂ ଚନ୍ଦ୍ରଭାଗାର ପ୍ରେମ କାହାଣୀ। ପ୍ରେମ ମାନେ ନୁହେଁ ବାହାହେବା। ପ୍ରେମ ହେଉଛି ତ୍ୟାଗ ବା ସାକ୍ରିଫାଇସ୍‌। ପ୍ରେମ ପାଇଁ ଜଣେ କ’ଣ କରିପାରେ, କୋଉ ଯାଏ ଯାଇପାରେ ତାହାକୁ ମୁଁ ଏହି ନାଟକରେ କହିଛି। ପୁଣି ଏହି ନାଟକରେ ଆମର ପୂର୍ବରୁ ଯାତ୍ରାର ଯେଉଁ ମୌଳିକତା ଥିଲା ତାହାକୁ ଫେରେଇବାର ଉଦ୍ୟମ କରିଛି।“ ଏ ପ୍ରକାର ଏକ ନିଆରା ନାଟକକୁ ଆଜିର ଦର୍ଶକ କ’ଣ ଆଦରିବେ (?) ଏ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ”ଦେଖନ୍ତୁ, ଦିନଥିଲା ଅମିତ୍ରାକ୍ଷର ଛନ୍ଦରେ ନାଟକ ହେଉଥିଲା। ଆଉ ଲୋକମାନେ ତାହାକୁ ଦେଖୁଥିଲେ। ଦର୍ଶକମାନେ ଆଦୌ ବଦଳିନାହାନ୍ତି। ଓଲଟି ଆମେ ତାଙ୍କ ଉପରେ ଯାହା ଲଦି ଦେଉଛେ ସେମାନେ ସେଇଆ ଗ୍ରହଣ କରୁଛନ୍ତି। ଆମ ମାର୍କେଟକୁ ଚାଇନା ଖାଦ୍ୟ ଆସିଲା, ଲୋକେ ଖାଇଲେ। ଚାଇନା ମାଲ୍‌ ଆସିଲା, ଲୋକେ କିଣିଲେ। କାରଣ ଆମେ ସେମାନଙ୍କୁ ଭଲ, ଉତ୍ତମମାନର, ଗୁଣାତ୍ମକ ଜିନିଷ ଯୋଗେଇପାରିଲୁନି। ତେଣୁ ଦର୍ଶକମାନଙ୍କୁ କେବେ ବି ଦୋଷ ଦିଆଯାଇପାରିବ ନାହିଁ। ତେବେ ଏଠି ଗୋଟେ କଥା କହିବି ଯେ, ତୁମେ କି ଜିନିଷ ଦେଉଛ ତାହା ବଡ଼କଥା ନୁହେଁ। ତୁମେ କେମିତି ଉପସ୍ଥାପନା କରୁଛ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଯଦି ଠିକ୍‌ ଭାବରେ ଉପସ୍ଥାପନା କରାଯିବ ତା’ହେଲେ ଲୋକେ ତାକୁ ଗ୍ରହଣ କରିବେ ହିଁ କରିବେ।“ ଅତୀତରେ ‘କଉଡ଼ିଖେଳ’, ‘ଛତା ଚିହ୍ନରେ ଭୋଟ ଦିଅ’ ଭଳି କ୍ଲାସିକ୍‌ ନାଟକ କରି ସଫଳତା ପାଇଥିବା ନାଟ୍ୟକାର, ନିର୍ଦ୍ଦେଶକ ହର ବାରିକଙ୍କ ଚଳିତ ବର୍ଷର କ୍ଲାସିକ୍‌ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’ ଏବେଠାରୁ ପ୍ରଶଂସା ଗୋଟେଇବା ଆରମ୍ଭ କଲାଣି। ନାଟକଟିକୁ ସେ ରଚନା କରିଥିବା ସହ ଏହାର ନିର୍ଦ୍ଦେଶନା ତଥା ଗୀତ ରଚନାର ଭାର ବି ସମ୍ଭାଳିଛନ୍ତି। ଏହାକୁ ସଙ୍ଗୀତରେ ସଜେଇଛନ୍ତି ମିହିର ମହାନ୍ତି। ଚଳିତବର୍ଷ ତାଙ୍କର ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଯାତ୍ରାଶ୍ରୀ ବିଶ୍ୱଦରବାର’ର ‘ତମ କଥା ଭାରି ମନେପଡୁଛି’ (ଉଭୟ ନାଟ୍ୟକାର ଓ ନିର୍ଦ୍ଦେଶକ), ‘ସଚ୍ଚିଦାନନ୍ଦ’ର ‘ବାବୁ ମୋ ଚୌକିଦାର’ (ଉଭୟ ନାଟ୍ୟକାର ଓ ନିର୍ଦ୍ଦେଶକ) ଏବଂ ‘ଆଇଟମ ଗର୍ଲ ରାଣୀପଣ୍ଡା’ (ରଚନା- ହର ବାରିକ, ନିର୍ଦ୍ଦେଶନା- ରାଜଗୁରୁ ବିଜୟ ଦାସ)। ଏତଦ୍‌ବ୍ୟତୀତ ‘ରାଜଧାନୀ ଅପେରା’ ପାଇଁ ସେ ଏକ ନାଟକ ରଚନା କରିବାକୁ ଯାଉଛନ୍ତି ଯାହାର ନାମକରଣ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ‘ଜନ ନାୟକନ’! ମୁଖ୍ୟମନ୍ତ୍ରୀ ହେବା ପରେ ବି ଜାରି ରହିବ ଅଭିନୟ? ସସପେନ୍ସ ବଢାଇଲେ…

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ’ ଉପରେ ଦୀର୍ଘ ସମୟରୁ କଟକଣା ଲାଗି ରହିଥିଲା। ଏହି ଚଳଚ୍ଚିତ୍ରଟି ଏହି ବର୍ଷ…

ଫ୍ଲାଟ୍‌ କିଣିଲେ ଜନ୍‌ ଆବ୍ରାହମ୍‌: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ବଲିଉଡରେ ଦୁଇ ଦଶନ୍ଧି ଧରି କାମ କରୁଥିବା ପ୍ରଖ୍ୟାତ ଅଭିନେତା ଜନ୍‌ ଆବ୍ରାହମ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ସେ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri