Categories: ଖେଳ

ପ୍ରି-ସିଜନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ, ୮।୫-ଚଳିତ ମାସ ଶେଷ ଭାଗରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହାର ପ୍ରି-ସିଜନ ଆରମ୍ଭ କରିବ। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଖେଳାଳିଙ୍କ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ନିୟମରେ ଟ୍ରେନିଂ ଆରମ୍ଭ କରିବାକୁ ଅନୁମତି ମିଳିବ। ‘ଦି ସିଡ୍‌ନୀ ମର୍ନିଂ ହେରାଲ୍ଡ’ ରିପୋର୍ଟ ଅନୁସାରେ ଚିଫ୍‌ ମେଡିକାଲ ଅଫିସର ଡ. ଜନ୍‌ ଓର୍ଚାର୍ଡ ଏବଂ ସ୍ପୋଟର୍‌ସ ସାଇନ୍ସ ଓ ସ୍ପୋଟର୍‌ସ ମେଡିସିନ୍‌ ମୁଖ୍ୟ ଆଲେକ୍ସ କୋଣ୍ଟୋରିସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ ହେବ। ଏ ଦୁହେଁ ଅନ୍ୟ କ୍ରିକେଟ ଖେଳୁଥିବା ଦେଶ, ଅଷ୍ଟ୍ରେଲିଆ ସରକାରଙ୍କ ବିଭିନ୍ନ କମିଟି ଏବଂ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ସହିତ ଯୋଡ଼ି ହୋଇ ଖେଳ ପୁଣି କିପରି ଆରମ୍ଭ କରାଯାଇପାରିବ ତାହା ଉପରେ କାମ କରୁଛନ୍ତି।
ରିପୋର୍ଟ ଅନୁସାରେ କ୍ରିକେଟ ଅଷ୍ଟ୍ରଲିଆ ନୂଆ ନିୟମ ଅନୁସାରେ ଶୀଘ୍ର ପ୍ରି ସିଜନ ଆରମ୍ଭ କରିବାକୁ ଚାହୁଁଛି। ଖେଳାଳିମାନେ ବଲ୍‌ରେ ଲାଳ କିମ୍ବା ଛେପ ଲଗାଇ ପାରିବେ ନାହିଁ ବୋଲି ଏହି ନିୟମରେ ଉଲ୍ଲେଖ ରହିଛି। କୋଣ୍ଟୋରିସଙ୍କ କହିବା ଅନୁସାରେ କ୍ରିକେଟ ପରି ଖେଳ ପାଇଁ ଟ୍ରେନିଂ ସମୟରେ କରୋନା ଭାଇରସ ସଂକ୍ରମଣ ଆଶଙ୍କା ବେଶି ରହିବ ନାହିଁ। ନେଟ୍ସ ସମୟରେ ଖେଳାଳିମାନେ ଯଥେଷ୍ଟ ଦୂରତାରେ ରହିବେ। ପ୍ରତି ନେଟ୍‌ରେ ୨ କିମ୍ବା ୩ ବୋଲର ରହିବେ। ଜଣେ ବୋଲର ବୋଲିଂ କରିବା ପରେ ଅନ୍ୟ ଜଣେ ଆସିବେ। ବ୍ୟାଟ୍ସମ୍ୟାନ ୨୨ ଗଜ ଦୂରତାରେ ରହୁଥିବାରୁ ସେପରି ସମସ୍ୟା ରହିବ ନାହିଁ। ”କ୍ରିକେଟ ଟ୍ରେନିଂ ଆରମ୍ଭ କରାଗଲେ ସେପରି ବଡ଼ ସମସ୍ୟା ରହିବ ନାହିଁ ବୋଲି ମୁଁ ଭାବୁଛି। ତେବେ ଆମେ ଏ ସମ୍ପର୍କରେ ଅଧିକ କିଛି ଚିନ୍ତା କରୁଛୁ। ବୋଲର କିପରି କେତେ ସମୟ ପରେ ବୋଲିଂ କରିବେ, କେତେ ଦୂରତା ରକ୍ଷା କରାଯିବ ତାହା ଉପରେ ଆଲୋଚନା ଚାଲିଛି“ ବୋଲି କୋଣ୍ଟୋରିସ କହିଛନ୍ତି। କରୋନା ଭାଇରସ ସଂକ୍ରମଣ କମିଲେ ମଧ୍ୟ ଦୂରତ୍ୱ ରଖାଯିବା ବାଧ୍ୟତା ମୂଳକ କରାଯିବ। ପଡ଼ିଆରେ ଖୁସି ମନାଇବାର ନୂଆ ତରିକା ଦଳଗୁଡ଼ିକୁ ବାହାର କରିବାକୁ ହେବ। ଏକ ଉଇକେଟ ପତନ ପରେ ସମସ୍ତେ ଏକତ୍ରିତ ହେବା କିମ୍ବା ଉଇକେଟ ନେଇଥିବା ଖେଳାଳିଙ୍କୁ ଜାବୁଡ଼ି ଧରିବା ଘଟଣା ସମ୍ଭବତଃ ଆଉ ଦେଖିବାକୁ ମିଳିବନାହିଁ। ସବୁବେଳେ ଦୂରତ୍ୱ ରଖାଯିବ। କୋଭିଡ୍‌-୧୯ ପାଇଁ ଯେତେଦିନ ପର୍ଯ୍ୟନ୍ତ ଔଷଧ ବାହାରିନାହିଁ ସେତେଦିନଯାଏ ଏପରି କିଛି ନୂଆ ନିୟମ ଲାଗୁ କରାଯିବା ଆବଶ୍ୟକ“ ବୋଲି ସେ କହିଛନ୍ତି।

Share