ପ୍ରାଣଘାତୀ କରୋନା କବଳରୁ ମୁକ୍ତି ପାଇଁ ପ୍ରାର୍ଥନା: ଚାରି ଆଶ୍ରମ ବିଜେ କଲେ ବାଡ଼ି ନୃସିଂହ

ପୁରୀ ଅଫିସ,୨୯ା୩: ଚୈତ୍ର ଶୁକ୍ଳ ଚତୁର୍ଥୀରେ ଶନିବାର ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ବାଡ଼ି ନୃସିଂହ ଦକ୍ଷିଣୀ ଘରୁ ପଟୁଆରରେ ବିମାନକୁ ବିଜେ କରିଥିଲେ। ଶ୍ରୀକ୍ଷେତ୍ରର ମହର୍ଷି ମାର୍କଣ୍ଡେୟ, ମହର୍ଷି କଣ୍ଡୁ, ମହର୍ଷି ଭୃଗୁ ଓ ମହର୍ଷି ଅଙ୍ଗିରାଙ୍କ ଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। କଥିତ ଅଛି, ପୁରୀ ସହରରେ ପୂର୍ବେ ହଇଜା ଲାଗିଥିଲା। ଯେତେ ଯାହା କଲେ ବି କମି ନ ଥିଲା। ଶେଷରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ବାଡ଼ିନୃସିଂହ ଶ୍ରୀକ୍ଷେତ୍ର ପରିକ୍ରମା କରିବା ପରେ ହଇଜା କମିଥିଲା। ବର୍ତ୍ତମାନ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ପ୍ରାଣଘାତୀ କରୋନା କବଳରୁ ମୁକ୍ତି ପାଇବା ପାଇଁ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି। ଏଭଳି ସମୟରେ ବିଶ୍ୱକୁ ରକ୍ଷା କରିବା ପାଇଁ ବାଡ଼ି ନୃସିଂହଙ୍କ ନିକଟରେ ସହରବାସୀ ପ୍ରାର୍ଥନା କରିଥିଲେ। ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ପୂର୍ବରୁ ରଥଯାତ୍ରା ପରେ ପରେ ପୁରୀ ସହରରେ ଝାଡ଼ାବାନ୍ତି ବ୍ୟାପୁଥିଲା। ଏହାକୁ କେହି କେହି ବାଡ଼ି ରୋଗ ବୋଲି କହିଥାନ୍ତି। ଏହି ରୋଗ ବ୍ୟାପିବାରୁ ନୃସିଂହ ଠାକୁର ପୁରୀ ସହର ପରିକ୍ରମା କରିଥିଲେ। ସେବେଠୁ ଏହି ପରମ୍ପରା ରହିଆସିଛି।