ପ୍ରାକୃତିକ ବାଲିସ୍ତୁପ ଉଭାନ୍‌: ମାଡ଼ିଆସୁଛି ଅଶାନ୍ତ ସମୁଦ୍ର; ଧ୍ୱଂସ ହେଉଛି ଝାଉଁ ଜଙ୍ଗଲ, କିଆବାଡ଼

କାକଟପୁର, ୬।୮(ଡି.ଏନ୍‌.ଏ.)-ବିସ୍ତୀର୍ଣ୍ଣ ସମୁଦ୍ର ତଟ ପାଇଁ ପୁରୀ ଜିଲା ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ସ୍ଥାନ ଅଧିକାର କରିଛି। ମାତ୍ର ଗତ କେତେ ବର୍ଷ ଧରି ପୁରୀ ସମୁଦ୍ର ତଟ ସହ ଅସ୍ତରଙ୍ଗ ଏବଂ କୋଣାର୍କ ଉପକୂଳରେ ସମୁଦ୍ର କୂଳଲଙ୍ଘି ସ୍ଥଳଭାଗମୁହାଁ ହୋଇଛି। ଫଳରେ ସୁନ୍ଦର ବେଳାଭୂମି ନଷ୍ଟ ହେବାସହ ଉପକୂଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ସମୁଦ୍ରକୂଳମାନଙ୍କରେ ରହିଥିବା ପ୍ରାକୃତିକ ବାଲିସ୍ତୁପ ଗୁଡ଼ିକ ଧ୍ୱଂସ ହୋଇଯିବାରୁ ଧୀରେ ଧୀରେ ସମୁଦ୍ର ସ୍ଥଳଭାଗ ମୁହାଁ ହେଉଛି। ଲଘୁଚାପ ସମୟରେ ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ଏହି ସମୟରେ ସମୁଦ୍ର ଉପକୂଳଆଡ଼କୁ ମାଡ଼ିଆସୁଛି। ଯଦିକେବେ ସୁନାମି ପରିସ୍ଥିତି ସୃଷ୍ଟି ହୁଏ ତେବେ ଅସ୍ତରଙ୍ଗ ଓ କାକଟପୁର ବ୍ଳକର ସମୁଦାୟ ୩୨ଟି ଗ୍ରାମ ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ସରକାର କେବଳ ଏହି ଗାଁ ଗୁଡ଼ିକ ସୁନାମିପ୍ରବଣ ଗାଁ ଭାବେ ଚିହ୍ନଟ କରି ଚୁପ୍‌ଚାପ ବସିଯାଇଥିବା କ୍ଷୋଭର ସହ କୁହନ୍ତି ଉଦୟକଣି ଗ୍ରାମର କାଳନ୍ଦୀ ପ୍ରଧାନ ଓ ସୁବାସ ପ୍ରଧାନ। ଅସ୍ତରଙ୍ଗ ବ୍ଲକର ବଳଭଦ୍ରପୁର, ଗୁଣ୍ଡଳବା, ଛୁରୀଅନା, ଡାଳୁଅକଣି, ବେଲେଶ୍ୱର, କେଉଟଜଙ୍ଗା, ତଣ୍ଡାହାର, ଉଦୟକଣି, ଛେନୁ, କଟକଣା, ବାଘଡ଼ିଆ ପ୍ରଭୃତି ଗ୍ରାମ ଗୁଡ଼ିକ ବଙ୍ଗୋପସାଗର କୂଳରେ ଅବସ୍ଥିତ। ଏହି ସବୁ ଗ୍ରାମର ବାସିନ୍ଦା ସରକାରଙ୍କୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି।