Categories: ଖେଳ

ପ୍ରଶଂସକ ସୁରକ୍ଷା କର୍ଡନ ଭାଙ୍ଗିବାକୁ ଗାଭାସ୍କରଙ୍କ ନାପସନ୍ଦ

ପୁଣେ,୧୩।୧୦(ପି.ଟି.)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ତଥା ଶନିବାର ଜଣେ ପ୍ରଶଂସକ ସୁରକ୍ଷା କର୍ଡନ ଡେଇଁ ଫିଲ୍ଡ ମଧ୍ୟକୁ ପ୍ରବେଶ କରିଥିଲେ। ଏହାକୁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ନାପସନ୍ଦ କରିଛନ୍ତି। ଉକ୍ତ ପ୍ରଶଂସକ ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମାଙ୍କ ପାଦ ଛୁଇଁଥିଲେ। ପରେ ତାଙ୍କୁ ସୁରକ୍ଷାକର୍ମୀ ବାହାରକୁ ନେଇଯାଇଥିଲେ। ଏଭଳି ଘଟଣା ଘଟିବାର କାରଣ ସୁରକ୍ଷା ଲାଗି ନିଯୁକ୍ତ କର୍ମଚାରୀମାନେ ଦର୍ଶକଙ୍କ ଉପରେ ନଜର ରଖିବା ପରିବର୍ତ୍ତେ ଖେଳ ଦେଖୁଛନ୍ତି। ଏହି ସମସ୍ୟା ଭାରତରେ ଚିରସ୍ଥାୟୀ। ମାଗଣାରେ ମ୍ୟାଚ୍‌ ଦେଖିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରାଯାଇନାହିଁ। ସେମାନେ ଏଭଳି ଘଟଣାକୁ ରୋକିବା ପାଇଁ ଅଛନ୍ତି। ଏହା ଖେଳାଳିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠାଉଥିବା ଗାଭାସ୍କର କହିଛନ୍ତି। ସୁରକ୍ଷାକର୍ମୀମାନେ ନିଜ କାର୍ଯ୍ୟ କରୁଛନ୍ତି ନା ମ୍ୟାଚ୍‌ ଦେଖୁଛନ୍ତି ଜାଣିବା ପାଇଁ କ୍ୟାମେରା ଦ୍ୱାରା ତଦାରଖ କରାଯାଉ ବୋଲି ଗାଭାସ୍କର ସୁପାରିସ କରିଛନ୍ତି।

Share