ପ୍ରବେଶ ପଥରେ ହେବ ସ୍ବାଗତ ଓ ସ୍କ୍ରିନିଂ: ବିଏମ୍‌ସି

ଭୁବନେଶ୍ୱର,୧୦।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ନିଆଯାଉଛି ବ୍ୟାପକ ପଦେକ୍ଷପ। ବିଭିନ୍ନ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ଲୋକଙ୍କ ସ୍ବାବ୍‌ ସଂଗ୍ରହ କରାଯାଉଥିବାବେଳେ ପ୍ରତ୍ୟେକ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯାଉଛି। ରବିବାର ବିଏମସି ପକ୍ଷରୁ ଭୁବନେଶ୍ୱରର ୩ ପଥରେ ପ୍ରବାସୀଙ୍କୁ ସ୍ବାଗତ କେନ୍ଦ୍ର କରାଯିବାକୁ ନିଷ୍ପତି ନିଆଯାଇଥିବାବେଳେ ଭୁବନେଶ୍ୱର ମଧ୍ୟକୁ ପ୍ରବେଶ କରିବା ପାଇଁ ପ୍ରଥମେ ପ୍ରବାସୀଙ୍କ ଶରୀରର ତାପମାତ୍ରା ଜାଣିବା ପାଇଁ ଥର୍ମାଲ ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ କଟକ ପଟୁ ଆସୁଥିବା ପ୍ରବାସୀଙ୍କୁ ରସୁଲଗ଼ଡ ସ୍ଥିତ କୋଚିଲା ଖାଇ ହାଟର ବାମ ପାର୍ଶ୍ୱରେ ଥିବା ଆଶ୍ରମ ସ୍କୁଲ, ଖୋର୍ଦ୍ଧା ପଟୁ ଆସୁଥିବା ପ୍ରବାସୀଙ୍କୁ ଖଣ୍ଡଗିରି ସ୍ଥିତ ତପୋବନ ସ୍କୁଲ ଓ ପୁରୀରୁ ଆସୁଥିବା ପ୍ରବାସୀଙ୍କୁ ଉତ୍ତରା ଛକ ନିକଟ କୃପାଜଳ ଇଞ୍ଜିନିୟରିଂ କଲେଜରେ ସ୍ବାଗତ କରାଯିବା ସହ ସ୍କ୍ରିନିଂ କରାଯିବ। ପ୍ରବାସୀମାନେ ପ୍ରବେଶ ପଥରେ ପହଞ୍ଚି ନିଜକୁ ପଞ୍ଜିକରଣ ମୁକ୍ତ କରିବେ। ସେହିପରି ପ୍ରବାସୀମାନଙ୍କୁ ଥର୍ମାଲ ସ୍କ୍ରିନିଂ ପରେ ସଙ୍ଗରୋଧ ଗୃହକୁ ପଠାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।