Categories: ଖେଳ

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ, ପାଣି ବାଣ୍ଟିଲେ ସାମି

ନୂଆଦିଲ୍ଲୀ,୨।୬(ପି.ଟି.): କୋଭିଡ-୧୯ ମହାମାରୀ ଲଢେଇରେ ସାମିଲ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାରେ ପ୍ରଭାବିତ ହୋଇ ସେ ସମାଜମଙ୍ଗଳ କାର୍ଯ୍ୟପାଇଁ ଆଗେଇ ଆସିଛନ୍ତି। ଘରକୁ ଫେରୁଥିବା ଶ୍ରମିକଙ୍କୁ ସେ ଖାଦ୍ୟ ପୁଡିଆ, ମାସ୍କ ଓ ପାଣି ବାଣ୍ଟିଛନ୍ତି। ଉତ୍ତରପ୍ରଦେଶର ସାହସପୁରରେ ଥିବା ନିଜ ଘର ନିକଟରେ ସେ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ବିତରଣ କେନ୍ଦ୍ର ସ୍ଥାପନ କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ସାମିଙ୍କର ଭିଡିଓ ଅପ୍‌ଲୋଡ କରିଛି। ଉତ୍ତର ପ୍ରଦେଶର ୨୪ ନମ୍ବର ଜାତୀୟ ରାଜପଥରେ ମାସ୍କ, ଗ୍ଲୋଭ୍ସ ପିନ୍ଧି ବସ୍‌ରେ ଘରକୁ ଫେରୁଥିବା ଶ୍ରମିକଙ୍କୁ ଖାଦ୍ୟ ପୁଡିଆ ପ୍ରଦାନ କରୁଥିବା ଏହି ଭିଡିଓରେ ଦେଖା ଯାଇଛି। ସାମିଙ୍କର ଏହି କାର୍ଯ୍ୟକୁ ବିସିସିଆଇ ତରଫରୁ ପ୍ରଶଂସା କରାଯାଇଛି। କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌ କାରଣରୁ ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରମିକମାନେ କର୍ମସ୍ଥଳୀ ଛାଡି ଘରକୁ ଫେରୁଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ଦେଶରେ ଏପର୍ଯ୍ୟନ୍ତ ୫,୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨ ଲକ୍ଷ ସଂକ୍ରମଣର ଶିକାର ହୋଇଛନ୍ତି।

Share