Categories: ଖେଳ

ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ହରାଇଲା ଆୟର୍ଲାଣ୍ଡ

ବ୍ରେଡି (ଆୟର୍ଲାଣ୍ଡ), ୨।୭- ସୀମିତ ଓଭର ସିରିଜ ଖେଳିବା ଲାଗି ଆୟର୍ଲାଣ୍ଡ ଗସ୍ତରେ ଯାଇଥିବା ଜିମ୍ବାଓ୍ବେ କ୍ରିକେଟ୍‌ ଦଳ ପରାଜୟରୁ ଏହାର ଅଭିଯାନ ଆରମ୍ଭ କରିଛି। ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଆୟର୍ଲାଣ୍ଡ ୪ ଉଇକେଟ୍‌ରେ ଜିମ୍ବାଓ୍ବେକୁ ହରାଇ ଦେଇଛି। ବିଜୟ ସହ ଆୟର୍ଲାଣ୍ଡ ୩ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌ ଆସନ୍ତା ୪ରେ ଅନୁଷ୍ଠିତ ହେବ।
ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଜିମ୍ବାଓ୍ବେ କ୍ରେଗ୍‌ ଏର୍ଭିନଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୫୪ ରନ କରିଥିଲା। ଏର୍ଭିନ ସର୍ବାଧିକ ୧୦୫ (୧୧୭ ବଲ୍‌, ୧୩ ଚୌକା) ରନ୍‌ କରିଥିବାବେଳେ ର଼୍ୟାନ ବର୍ଲ (୪୯*) ଓ ସିନ୍‌ ଓ୍ବିଲିୟମ୍ସ (୨୮) ଉପଯୋଗୀ ବ୍ୟାଟିଂ କରିଥିଲେ। ଘରୋଇ ଦଳ ପକ୍ଷରୁ ମାର୍କ ଆଡାୟରଙ୍କୁ ୪ଟି ଉଇକେଟ୍‌ ଅକ୍ତିଆର ମିଳିଥିଲା। ଜବାବରେ ଆୟର୍ଲାଣ୍ଡ ଆଣ୍ଡ୍ରିଉ ବଲ୍‌ବିମି (୧୦୧ ରନ, ୧୧୨ ବଲ୍‌)ଙ୍କ ଦମ୍‌ଦାର ଶତକ ବଳରେ ୯ ବଲ୍‌ ପୂର୍ବରୁ ୬ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଓପନର୍‌ ପଲ୍‌ ଷ୍ଟ୍ରିଲିଂ ୫୭ ରନ କରିଥିବାବେଳେ ଅଧିନାୟକ ଓ୍ବିଲିୟମ୍ସ ପୋଟରଫିଲ୍ଡ (୬) ଓ ବରିଷ୍ଠ ଖେଳାଳି କେଭିନ୍‌ ଓ’ବ୍ରାଇନ୍‌ (୫) ବିଫଳ ହୋଇଥିଲେ। ଭ୍ରମଣକାରୀ ଦଳ ପକ୍ଷରୁ ତେଣ୍ଡାଇ ଚତରା ୩ ଓ କାଏଲ୍‌ ଜାର୍ଭିସ ୨ ଉଇକେଟ୍‌ ନେଇଥିଲେ।

Share