Categories: ଖେଳ

ପ୍ରଥମ ଟେଷ୍ଟ: ମାଥ୍ୟୁସ୍‌ଙ୍କ ପ୍ରଥମ ଦ୍ୱିଶତକ

ହରାରେ,୨୩।୧- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ କ୍ୟାରିୟରର ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ମାଥ୍ୟୁସଙ୍କ ଦ୍ୱିଶତକୀୟ ପାଳି ବଳରେ ଶ୍ରୀଲଙ୍କା ଏଠାରେ ଚାଲିଥିବା ଘରୋଇ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଜିମ୍ବାଓ୍ବେ ପ୍ରଥମ ଇନିଂସରେ ୧୪୮ ଓଭରରେ ୩୫୮ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସ ଆରମ୍ଭ କରି ୧୭୬.୨ ଓଭରରେ ୯ ଉଇକେଟ ହରାଇ ୫୧୫ ରନ କରି ଇନିଂସ ଘୋଷଣା କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଜିମ୍ବାଓ୍ବେ ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ୧୬ ଓଭରରେ କୌଣସି ଉଇକେଟ ନ ହରାଇ ୨୮ ରନ ସଂଗ୍ରହ କରିଛି। ଫଳରେ ୧୦ ଉଇକେଟ ହାତରେ ରଖି ଜିମ୍ବାଓ୍ବେ ଏବେ ୧୨୭ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଓପନର ପ୍ରିନ୍ସ ମାସଭାଉରେ ୧୫ ଓ ବ୍ରାଏନ ମାଜିଙ୍ଗାନ୍ୟାମା ୧୨ ରନ କରି ଅପରାଜିତ ରହିଛନ୍ତି।
ଶ୍ରୀଲଙ୍କା ତରଫରୁ ପ୍ରଥମ ଇନିଂସରେ ମାଥ୍ୟୁସ୍‌ ୨୦୦ ରନର ପାଳି ଖେଳି ଅପରାଜିତ ରହିଥିଲେ। ୪୬୮ଟି ବଲ୍‌ ଖେଳି ସେ ୧୬ ଚୌକା ଓ ୩ ଛକା ମାରିଥିଲେ। ଜିମ୍ବାଓ୍ବେ ତରଫରୁ ସିକନ୍ଦର ରାଜା ଓ ଭିକ୍ଟର ଏନ୍‌ଓ୍ବାଉଚି ୩ଟି ଲେଖାଏ ଉଇକେଟ ହାସଲ କରିଥିଲେ।

Share