ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ପ୍ରଥମରୁ ସପ୍ତମ ଯାଏ ପ୍ରାୟ ଦୁଇମାସ ଧରି ଚାଲିଛି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟ ଡୋରି ହାତକୁ ନେବା ପାଇଁ ଏଇ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେବା ଭଳି ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ ନିଦରେ ଶୋଇ ପଡିଥିବା ଜନତା ଉଠିପଡି ପୁଣି ଥରେ ଭୋଟ କେନ୍ଦ୍ରର ଧାଡିରେ ଛିଡା ହେଲେଣି। ଆଉ ଥରେ ଭୋଟ ଦେଇ ପୁଣି ପାଞ୍ଚବର୍ଷ କାଳ ଶୋଇଯିବା ପାଇଁ।
ନିର୍ବାଚନ ଆସିଲେ ଦେଶର ତ ରଙ୍ଗ ବଦଳିଯାଏ। ତା’ ସହ ବଦଳିଯାଏ ଦେଶବାସୀଙ୍କ ଚରିତ୍ର। ଘର ପରିବାରଠୁ ହାଟ ବଜାର ଯାଏ, ପୁଣି କାର୍ଯ୍ୟକ୍ଷେତ୍ର, କୃଷିକ୍ଷେତ୍ର ବା କ୍ରୀଡାକ୍ଷେତ୍ରରୁ ରଣକ୍ଷେତ୍ର ଯାଏ, ସବୁଠି ସଭିଏଁ ନିର୍ବାଚନସମ୍ପର୍କିତ ଆଲୋଚନାରେ ନିମଗ୍ନ ରହନ୍ତି। କାନ୍ଥବାଡର ରଙ୍ଗବେରଙ୍ଗ ପ୍ରଚାରପତ୍ର, ବାଇକ ରାଲି, ରୋଡଶୋ’ର ପଟୁଆର ସହ ଡିଜେ ଭଳି ପ୍ରଚାର ଯନ୍ତ୍ରରୁ ଭାସି ଆସୁଥିବା ନିର୍ବାଚନୀ ପ୍ରଚାର ସଙ୍ଗୀତର ଗୁରୁ ଗର୍ଜନ ପ୍ରଚଣ୍ଡ ରୌଦ୍ରତାପର ଦହନକୁ ମଧ୍ୟ ପଛରେ ପକାଇଦିଏ। ଅଥଚ ଟିକେ ନିରେଖି ଚାହିଁଲେ ସ୍ପଷ୍ଟରୂପେ ଜଣାଯାଏ ଯେ ଏ ସବୁ ଉଦ୍ଦୀପନା ଓ ଉନ୍ମାଦନା କେବଳ ସେଇମାନଙ୍କର ଯେଉଁମାନେ ନିର୍ବାଚନରେ ନେତା ହୋଇ ନିଜର ଭାଗ୍ୟ ପରୀକ୍ଷା କରୁଥାନ୍ତି ଅବା ସେମାନଙ୍କ ସମର୍ଥକଙ୍କର, ଯେଉଁମାନେ ନିଜ ନେତାଙ୍କ ପାଇଁ ନର୍କକୁ ବି ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି। ବାକି ସାଧାରଣ ଭୋଟରଙ୍କ ପାଇଁ ଏହି ସାମ୍ବିଧାନିକ ପର୍ବଟି ଯେମିତି ଅନୁଭବଶୂନ୍ୟ।
ଭୋଟରଙ୍କୁ ସାଧାରଣ କହିଲେ ସେମାନଙ୍କ ମହତ୍ତ୍ୱର ଅପମାନ ହେବ। ଅନ୍ୟ ବେଳେ ଯେତେ ସାଧାରଣ ହେଲେ ବି ନିର୍ବାଚନ ବେଳେ ଭୋଟରଟିଏ ଅତ୍ୟନ୍ତ ଅସାଧାରଣ। ଏହି ସମୟରେ ତା’ ମୁଣ୍ଡର ମୂଲ୍ୟ ଅସମ୍ଭବ ଭାବେ ବଢି ଯାଇଥାଏ। ଦୁର୍ମୂଲ୍ୟ ହୀରାନୀଳାଠୁଁ ବି ଶତଗୁଣ ଅଧିକ ହୋଇଯାଏ। ଯଦିଓ ଥରେ ନିର୍ବାଚନ ସରିଗଲେ ଅନ୍ୟ ନିର୍ବାଚନ ନ ଆସିଲାଯାଏ ତା’ର ମୂଲ୍ୟ କାଣିକଉଡିଠୁ ବି ହୀନ ହୋଇଯାଏ। ବଡ଼ ବିଚିତ୍ର ଏଇ ଭୋଟରଟିର ଭାଗ୍ୟ। ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ସ୍ବପ୍ନର ସୌଦାଗରମାନେ ତା’ ପାଇଁ ସୁନାର ସୌଧ ଓ ମୁକ୍ତାର ମହଲ ତିଆରି ଦିଅନ୍ତି। ତାକୁ ରାଜସିଂହାସନରେ ବସାଇ ନିଜେ ଆଣ୍ଠୁ ମାଡି କାକୁସ୍ଥ କିଙ୍କରଙ୍କ ପରି ଆଦେଶ ଅପେକ୍ଷାରେ ରହନ୍ତି। ଅଥଚ ଥରେ ନିର୍ବାଚନ ସରିଗଲେ ପ୍ରତିଶ୍ରୁତି ବଦଳରେ ପ୍ରତିଭାତ ହୁଏ ଭୟଙ୍କର ପ୍ରତାରଣା। ତା’ ଭାଗ୍ୟ ଏମିତି ଯେ ପ୍ରତି ପାଞ୍ଚବର୍ଷରେ ଥରେ ଏଇ ପ୍ରତିଶ୍ରୁତି ଓ ପ୍ରତାରଣାର ବିଷମ ଖେଳରେ ସେ ସାମିଲ ହୁଏ ବାଧ୍ୟବାଧକତାରେ। ସେ କରନ୍ତା ବା କ’ଣ! ନିଜ ନାଗରିକ ଅଧିକାର ସାବ୍ୟସ୍ତ କରିବାର ପବିତ୍ର ପର୍ବରେ ସାମିଲ ନ ହେଲେ ସେ ଯଦି ପ୍ରତାରଣାରୁ ବର୍ତ୍ତିଯାଇ ପାରନ୍ତା, ତା’ ହେଲେ ହୁଏତ ଭୋଟର ହେବାକୁ ସେ କେବେ ମନ ବଳାନ୍ତା ନାହିଁ!
ପ୍ରତ୍ୟେକ ନିର୍ବାଚନ ଆସେ ରାମରାଜ୍ୟର ପ୍ରତିଶ୍ରୁତି ନେଇ। ଅଥଚ ନିର୍ବାଚନ ସରିଗଲା ପରେ ରାମ ବୋଲି ସେଇ ପୁଣ୍ୟ ପୁରୁଷ ଜଣକ ନିର୍ବାସନରେ ଚାଲିଯାନ୍ତି ଓ ବଦଳରେ ପ୍ରତିଭାତ ହୁଅନ୍ତି ରକ୍ତଶୋଷା ରାବଣଗଣ। ହେଉ, ନିର୍ବାଚନ ପରେ କଳ୍ପିତ ରାମମାନେ ରାବଣ ପାଲଟି ଯାଆନ୍ତୁ। ପ୍ରତିଜ୍ଞା, ପ୍ରତିଶ୍ରୁତି ଓ ପ୍ରତାରଣା ମଧ୍ୟରେ ତଥାପି ବଞ୍ଚି ରହିଥାଉ ଆମ ଗଣତନ୍ତ୍ର। ମାତ୍ର ନିର୍ବାଚନ ପରେ ନୁହେଁ, ପୂର୍ବରୁ ବି ଯଦି ପ୍ରତାରଣା ତା’ର କାୟା ବିସ୍ତାରକରେ, ତେବେ କେମିତି ହେବ ଆମ ଗଣତନ୍ତ୍ରର ଏ ଅନୁଭବ।
ଏଥର ନିର୍ବାଚନ ତିଥି ଘୋଷିତ ହେବା ପୂର୍ବରୁ ଓ ପରେ ପରେ ସଂଘଟିତ ହୋଇଚାଲିଛି ଗୋଟିଏ ପରେ ଗୋଟିଏ ପ୍ରତାରଣାର ପର୍ବ। ଗୋଟିଏ ଦଳ ସହ ଦୀର୍ଘବର୍ଷ ସଂପୃକ୍ତ ରହି, ସେହି ଦଳର ବିଜୟ ବାନା ହାତରେ ଧରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଲା ପରେ ଆପଣାର ବ୍ୟକ୍ତି ସ୍ବାର୍ଥ ପାଇଁ ସେହି ଦଳ ବିରୋଧରେ ବିଷୋଦ୍‌ଗାର କରିବାର ନାମ ପ୍ରତାରଣା ନୁହେଁ କି? କାଲିଯାଏଁ ନେତା ଜଣେ ଗୋଟିଏ ଦଳରେ ରହି ସେହି ଦଳର ଆଦର୍ଶରେ ଅଭିମଣ୍ଡିତ କରିଥିବେ ନିଜକୁ। ଉକ୍ତ ଦଳର ଜୟଗାନ ତାଙ୍କ ପାଇଁ ପାଲଟିଯାଇଥିବ ସା ସକାଳର ପ୍ରାର୍ଥନା ସଙ୍ଗୀତ। ସେଇ ଦଳର ପରିଚୟରେ କ୍ଷମତା ଭୋଗିଥିବେ, ପ୍ରସିଦ୍ଧି ଅର୍ଜିଥିବେ ଦୀର୍ଘକାଳ। ଅଥଚ ତହିଁରୁ ଟିକେଟ ନ ମିଳିଲେ ନିର୍ବାଚନ ଲଢିବା ପାଇଁ ରାତାରାତି ବିପକ୍ଷ ଦଳରେ ଯୋଗଦେଇ ସେ ପାଲଟିଯିବେ ତାଙ୍କ ମୂଳ ଦଳର ସବୁଠୁଁ ପ୍ରଗଳ୍‌ଭ ନିନ୍ଦୁକ। କାଲିଯାଏ ସ୍ବର୍ଗ ପରି ପ୍ରତୀୟମାନ ହେଉଥିବା ଦଳ ଆଜି ପାଲଟିଯିବ ନର୍କଠାରୁ ଆହୁରି ନିକୃଷ୍ଟତର! ପ୍ରତାରଣା ଆଉ କାହାକୁ କହନ୍ତି କି?
ନେତା ହେବା ପାଇଁ କାହିଁକି ଏତେ ପ୍ରବଣତା। ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ କାହିଁକି ଏତେ ପାଗଳ ପ୍ରତିଯୋଗିତା। ନେତୃତ୍ୱରେ ଏମିତି କି ଅମୃତ ଅଛି ଯେ ଯାହାକୁ ପାଇବା ପାଇଁ ପ୍ରଖ୍ୟାତ ଅଭିନେତ୍ରୀ, ଅଭିନେତାମାନେ ସେମାନଙ୍କ ପରୀରାଇଜ ଛାଡି ନିର୍ବାଚନ ଦୌଡ଼ରେ ଯୋଗ ଦେଉଛନ୍ତି। ପ୍ରଶାସକମାନେ ଅବସର ନେଇ ଦଳୀୟ ପତାକା ତଳେ ନିଜର ପରିଚୟ ଲୋଡୁଛନ୍ତି। ଏ.ସି. କକ୍ଷର ଶୀତଳ ପରିବେଶରେ ବି ଯେଉଁଠି ସୁକୁମାର ଶରୀରକୁ ତଥାପି କଷ୍ଟ ହେଉଥିଲା, ସେଠି ବୈଶାଖର ଉତ୍ତପ୍ତ ନିଦାଘରେ ବି ଘଣ୍ଟା ଘଣ୍ଟା ଧରି ଭୋଟର ବାପୁଡାଙ୍କୁ ପ୍ରଭାବିତ କରିବାକୁ ପଡୁଛି। ଫୁଙ୍ଗୁଳା ଦେହର ସିଙ୍ଗାଣିନାକି କାଳୀକୋତରୀ ଇତର ଝିଅଟାକୁ ଆଣି କୋଳେଇବାକୁ ପଡୁଛି। କ’ଣ ମିଳେ ଏଥିରୁ। ଦେଶ ଗଠନ, ଲୋକ କଲ୍ୟାଣ ନା ନିଜ ସ୍ବାର୍ଥ ସାଧନ।
ନେତା, ନେତୃତ୍ୱ ଓ ନିର୍ବାଚନର ଏ ପ୍ରହେଳିକା ମଧ୍ୟରେ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଅର୍ଥ। ସମଗ୍ର ଦେଶରେ ପୁଳା ପୁଳା ଟଙ୍କା ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଘଟଣା ଆମ ନିର୍ବାଚନର ତଥାକଥିତ ପବିତ୍ରତାର ପ୍ରମାଣ। କ’ଣ କାମରେ ଆସେ ଏ ଟଙ୍କା। ନିଜ ଭୋଟଟିର ମୂଲ୍ୟ ବୁଝି ନ ଥିବା ଭୋଟରକୁ ଟଙ୍କା, ମଦମାଂସ ଓ ଅନ୍ୟ କିଛି ଉପାଦାନ ଦ୍ୱାରା ପ୍ରଲୋଭିତ କରିବା ପାଇଁ ଏହା ଶେଷ ଅସ୍ତ୍ର ଭାବେ କାମରେ ଆସିଥାଏ। ଏଥିସହିତ ମୋଟା ଅଙ୍କର ଅର୍ଥ ବିନିମୟରେ ବଲିଉଡ ବା ଓଲିଉଡରୁ ଆମଦାନୀ ହୋଇଥାନ୍ତି କିଛି ରଙ୍ଗ ହରାଇ ବସିଥିବା ଅଭିନେତ୍ରୀ ବା ଅଭିନେତା। ଏ କଥା ବୁଝି ବି ବୁଝି ହୁଏନା ଯେ ସେଇ ଅଭିନେତ୍ରୀ, ଅଭିନେତାମାନଙ୍କୁ ପ୍ରଚାର ପଟୁଆରରେ ସାମିଲ କରାଇ ପ୍ରାର୍ଥୀ ଜଣେ କି ବାର୍ତ୍ତା ଦେବାକୁ ଚାହାନ୍ତି। ନିଜ ନେତୃତ୍ୱ ନେବାର ସାମର୍ଥ୍ୟକୁ କେମିତି ପ୍ରତିଷ୍ଠିତ କରିପାରେ ସେଇ ରଙ୍ଗିଲାମାନଙ୍କ ଉପସ୍ଥିତି!
ଅର୍ଥର ଆସୁରିକ ପ୍ରଭାବରେ କଳୁଷିତ ହେଉଥିବା ଆମ ନିର୍ବାଚନକୁ ଯଥାସମ୍ଭବ ମୁକ୍ତ ରଖିବାକୁ ନିର୍ବାଚନ କମିଶନଙ୍କ ପ୍ରାଣମୟ ପ୍ରଚେଷ୍ଟାକୁ ସାଧୁବାଦ ଜଣାଇବା ସହ ଏ କଥା କିନ୍ତୁ ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ପାଞ୍ଚଶହ କି ହଜାରେ ଟଙ୍କା ଓ କିଛି ମଦ ମାଂସ ବିନିମୟରେ ନିଜକୁ ବିକ୍ରି କରି ଦେଉଥିବା ଭୋଟରମାନେ ହିଁ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଅସୁସ୍ଥ ବିଡମ୍ବନା। ତଥାପି ମଦନ ଭଳି ଏକ ଉଜ୍ଜ୍ୱଳ ବ୍ୟତିକ୍ରମ ନିଜ ଆଚରଣ ଓ ଉଚ୍ଚାରଣରେ ଭିନ୍ନ ବାର୍ତ୍ତାଟିଏ ଦେଇ ଗଣତନ୍ତ୍ରର ଅସୁସ୍ଥ ଶରୀର ଉପରେ ଶୀତଳ ଚନ୍ଦନର ସ୍ପର୍ଶ ଦେଇପାରେ। ପ୍ରଥମ ଦଫାର ନିର୍ବାଚନ ନିର୍ଘଣ୍ଟରେ ନିଜ ଅଞ୍ଚଳରେ ଭୋଟ ଦେଇ ରାଜଧାନୀକୁ ଫେରି ଆସିଥିବା ମଦନ ପ୍ରକୃତରେଏକ ବୀରସୁଲଭ କାର୍ଯ୍ୟ କରିଥିଲା ବୋଲି ଏ ଲେଖକର ମତ।
ଏକ ଅନୌପଚାରିକ ଆଳାପରେ ମଦନ କହୁଥିଲା, ”ନିର୍ବାଚନର ଦୁଇଦିନ ପୂର୍ବରୁ ମାଂସ ଭାତର ଭୋଜି ସହ ମିଳିଥିଲା ହଜାରେ ଟଙ୍କା। ତା’ ସହ ଠାକୁର ଫଟୋ ଛୁଇଁ ନିୟମ କରିବାକୁ ପଡିଥିଲା ଏସବୁର ଦାତାଙ୍କୁ ଭୋଟ ଦେବା ପାଇଁ। ଭୋଜି ଖାଇଲି, ଟଙ୍କା ନେଇ ପକେଟ ଭରିଲି ଓ ଫଟୋ ଛୁଇଁ ନିୟମ କଲି। କିନ୍ତୁ ଭୋଟ ଦିନ ତାଙ୍କୁ ନ ଦେଇ ଆଉ ଜଣେ ଭଲ ପ୍ରାର୍ଥୀଙ୍କୁ ମୋ ଭୋଟ ଦେଲି।“ ଆଶ୍ଚର୍ଯ୍ୟ ହୋଇ ଏ ଲେଖକ ପଚାରିଥିଲା, ”ଇଏ କି ଅନ୍ୟାୟ କଥା। ଜଣଙ୍କଠୁ ଟଙ୍କା ନେଇ ଆଉ ଜଣଙ୍କୁ ଭୋଟ ଦେବା ତ ଅସାଧୁତା।“ ରାଜଧାନୀରେ ଗ୍ୟାରେଜ ମେକାନିକ ଥିବା ମଦନର କୈଫିୟତ ଶୁଭୁଥିଲା ଜଣେ ପ୍ରାଜ୍ଞ ପୁରୁଷଙ୍କ ପ୍ରବଚନ ପରି। ସେ କହିଲା, ”ଲକ୍ଷ ଲକ୍ଷ ଟଙ୍କା ଦେଇ ଭୋଟ କିଣୁଥିବା ପ୍ରାର୍ଥୀଙ୍କଠାରୁ ହଜାରେ ଟଙ୍କା ଠକିନେବା କ’ଣ ବଡ଼ ଅସାଧୁତା ବାବୁ। ବରଂ ଆପଣ ମୋତେ ସାବାସୀ ଦେବା କଥା, ମୁଁ ସେଭଳି ଅସାଧୁ ନେତାକୁ ଭୋଟ ଦେଇ ନାହିଁ ବୋଲି!“ ମଦନର ପିଠି ଥାପୁଡାଇ ଦେଇଥିଲା ସେଦିନ ଏ ଲେଖକ। ମଦନମାନଙ୍କ ସଂଖ୍ୟା ବଢାଇ ଏ ଗଣତନ୍ତ୍ରକୁ ରକ୍ଷା କରିବାକୁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲା।
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣୀ, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri