ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ: ପାସ୍‌ ହାର ୭୨.୩୩%

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ପ୍ରକାଶ ପାଇଛି ବିଜ୍ଞାନ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ପାସ୍‌ ହାର ୭୨.୩୩% ରହିଛି। ତେବେ ବର୍ଷ ୯୭,୭୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍‌ କରିଛନ୍ତି। ସେଥିମଧ୍ୟରୁ ୪୦,୦୫୮ ଜଣ ଛାତ୍ର ଏବଂ ୩୦,୬୪୮ ଛାତ୍ରୀ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୨୦,୮୦୬ ଛାତ୍ରୀଛାତ୍ର ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୩,୯୦୪ ଏବଂ ତୃତୀୟ ଶ୍ରେଣୀରେ ୨୫,୩୬୦ ଛାତ୍ରୀଛାତ୍ର ରହିିଛନ୍ତି। ସେହିପରି କମ୍ପାର୍ଟମେଣ୍ଟାଲରେ ୬୩୬ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ସର୍ବାଧିକ ପାସ୍‌ ହାର ବାଲେଶ୍ୱରରେ ଥିବା ବେଳେ ସର୍ବନିମ୍ନ ପାସ୍‌ ହାର ରହିଛି ଗଜପତି ଜିଲାରେ। ସେହିପରି ୯ଟି କଲେଜରେ ପରୀକ୍ଷା ଫଳ ଶୂନ ରହିଛି।