Categories: ଖେଳ

ପୋଲାଣ୍ଡରେ ଆର୍ମି ଫିଲ୍ଡ ହକିକୁ ବଞ୍ଚାଇ ରଖିଛି: କୋଚ୍‌ କାରୋଲ ସ୍ନିଜେକ୍‌

ଭୁବନେଶ୍ୱର, ୧୧ା୬-ୟୁରୋପୀୟ ଦେଶ ପୋଲାଣ୍ଡରେ ଆର୍ମି ଫିଲ୍ଡ ହକି ଖେଳକୁ ବଞ୍ଚାଇ ରଖିଛି। ଏହି ଦେଶରେ ପ୍ରାୟ ୨୦୦୦ ଖେଳାଳି ରହିଛନ୍ତି। ଭାରତ ଭଳି ପୋଲାଣ୍ଡରେ ଆର୍ମି ଅନେକ ଖେଳକୁ ପ୍ରୋତ୍ସାହିତ କରି ଆସୁଛି। ତନ୍ମଧ୍ୟରେ ଫିଲ୍ଡ ହକି ହେଉଛି ଅନ୍ୟତମ। ପୋଲାଣ୍ଡରେ ସବୁଠାରୁ ଲୋକପ୍ରିୟ ହକି କ୍ଲବ ହେଲା ଡବ୍ଲ୍ୟୁକେଏସ୍‌ ଗନ୍‌ଓ୍ବାଲ୍ଡ ପୋଜ୍‌ନାନ୍‌। ଗତ ବର୍ଷ ଏହି ଟିମ୍‌ କ୍ରାମଗତ ୫ମ ଥର ପାଇଁ ଲିଗ୍‌ ଟାଇଟଲ ହାସଲ କରିଛି। ଏହି କ୍ଲବର ସଫଳତା ପଛରେ ପୋଲାଣ୍ଡ ଆର୍ମିର ବିଶେଷ ଭୂମିକା ରହିଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ହକି ଟୁର୍ନାମେଣ୍ଟରେ ଭାଗ ନେଇଥିବା ପୋଲାଣ୍ଡର ୧୮ ଜଣିଆ ହକି ଦଳରେ ଗନ୍‌ ଓ୍ବାଲ୍‌ଡ କ୍ଲବ ପାଇଁ ଖେଳୁଥିବା ଆର୍ମିର ୯ ଜଣ ଖେଳାଳି ରହିଛନ୍ତି। ପୋାଲାଣ୍ଡ ହକି କୋଚ୍‌ କାରୋଲ ସ୍ନିଜେକ୍‌ ଏଠାରେ ତାଙ୍କର ଏକ ସାକ୍ଷାତ୍‌କାରରେ ଏକଥା ପ୍ରକାଶ କରିଛନ୍ତି। ଭାରତ ଭଳି ପୋଲାଣ୍ଡରେ ହକି ସେତେଟା ଲୋକପ୍ରିୟ ଖେଳ ନୁହେଁ। ଲୋକେ ବିଶେଷ ଫୁଟ୍‌ବଲ ଓ ଭଲିବଲ୍‌ ଖେଳକୁ ପସନ୍ଦ କରିଥାନ୍ତି। ପୋଲାଣ୍ଡରେ ଯେତେ ହକି ଖେଳାଳି ଅଛନ୍ତି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଦେଶରେ ଖେଳାଯାଉଥିବା ଲିଗ୍‌ରେ ଅଂଶଗ୍ରହଣ କରିଥାନ୍ତି ଅବଶିଷ୍ଟ ବିଦେଶରେ ଖେଳିଥାନ୍ତି। ସ୍ନିଜେକ କହିଛନ୍ତି ବିଶ୍ୱ ର଼୍ୟାଙ୍କିଙ୍ଗରେ ଆମେ ୨୧ତମ ସ୍ଥାନରେ ରହିଥିଲେ ମଧ୍ୟ ଆମର ବହୁ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ ଶେଷ ମୁହୂର୍ତ୍ତରେ ଏକ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ଡ୍ର ଆମେ ଭାରତକୁ ଟୁର୍ନାମେଣ୍ଟରୁ ବିଦା କରିଦେଇଥିଲୁ। ତେଣୁ ପୋଲାଣ୍ଡ ଭଳି ହକିଖେଳିପାରୁ ନାହିଁ ବୋଲି କେହି କହିପାରିବେ ନାହିଁ। ଖେଳର ବିକାଶ ପାଇଁ ଆମକୁ ପ୍ରୋତ୍ସାହନ ଏବଂ ସହଯୋଗର ଆବଶ୍ୟକତା ରହିଛି। ଆମେ ଛୋଟ ଛୋଟ କ୍ୟାମ୍ପ ଆୟୋଜନ କରିଥାଉ। ଆମେ ବେଳେବେଳେ ନେଦରଲାଣ୍ଡ୍ସ ଏବଂ ୟୁରୋପର ଅନ୍ୟ ଛୋଟ ଛୋଟ କ୍ଲବଗୁଡ଼ିକ ସହିତ ଖେଲିବା ଳାଗି ବିଦେଶ ଯାଇଥାଉ। କିନ୍ତୁ ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ଲାଗି ଆମ ଲାଗି ଅଧିକ ଟୁର୍‌ର ଆବଶ୍ୟକତା ରହିଛି। ଚଳିତ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ସେମିଫାଇନାଲରେ ସ୍ଥାନ ପାଇଁ ପୋଲାଣ୍ଡ ଏସିଆନ ଚାମ୍ପିୟନ ଜାପାନ ସହ ମୁକାବିଲା କରିବ। ଏହି ଟୁର୍ନାମେଣ୍ଟରୁ ଦୁଇଟି ଦଳ ଚଳିତବର୍ଷ ପରବର୍ତ୍ତୀ ଭାଗରେ ହେବାକୁଥିବା ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ଲାଗି ଯୋଗ୍ୟତା ଅର୍ଜନ କରିବେ।

Share