ପୋଖରୀ ତୁଠ

ଡା. ବାସୁଦେବ ପ୍ରଧାନ
ଆମ ପିଲାବେଳେ ଗାଁଲୋକେ ସମସ୍ତେ ପୋଖରୀରେ ଗାଧାନ୍ତି। କାଁ ଭାଁ କୂଅ ଥାଏ ଗାଁରେ। କୂଅପାଣି କେବଳ ରୋଷେଇବାସ ଓ ପିଇବା ପାଇଁ ବ୍ୟବହାର ହୁଏ। ଶୌଚ, ସ୍ନାନ ସବୁ ହୁଏ ପୋଖରୀରେ। ଗହ୍ମାପୂନେଇଁ ଦିନ ଗୋରୁ ବି ପୋଖରୀରେ ଗାଧାନ୍ତି। ଧୋବା ଲୁଗାପଟା ତା’ ତୁଠରେ ସଫାକରେ। ଧୋବା ତୁଠ ଗାଧୁଆ ତୁଠଠାରୁ ଅଲଗା ଥାଏ। କଇଁ, ପଦ୍ମ ପତ୍ର ଉପରେ ଭାସୁଥାଏ। ପାଣି ଉପରକୁ ମୁଣ୍ଡ ଟେକନ୍ତି ପଦ୍ମ ଓ ଧଳା, ନାଲି, ନେଳି କଇଁ। ପଦ୍ମପତ୍ରରେ ଢଳ ଢଳ ହୁଏ ପାଣି। ଏ ସଂସାର ଭିତରେ ଆମେ ପଦ୍ମପତ୍ରର ପାଣି ଭଳି (ପଦ୍ମପତ୍ରମିବାମ୍ଭସା) ନିର୍ଲିପ୍ତ ରହିବାକୁ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି। ପଦ୍ମଫୁଲ ପୋଖରୀର ଶୋଭା ବଢାଏ। ପଦ୍ମଫୁଲ ଫୁଟୁଥିବାରୁ ତ ତା’ ନାଁ ପୁଷ୍କରିଣୀ, ଯାହାର ତଦ୍‌ଭବ ରୂପ ହେଉଛି ପୋଖରୀ। ପଦ୍ମଫୁଲର ଅନେକ ପ୍ରତିଶବ୍ଦରେ ଇନ୍‌ (ଅସ୍ତ୍ୟର୍ଥେ) ଓ ଈ (ସ୍ତ୍ରୀପ୍ରତ୍ୟୟ) ଲଗେଇଲେ ତାହାର ଅର୍ଥ ହେବ ପୋଖରୀ। ଯେମିତି ପୁଷ୍କରରୁ ପୁଷ୍କରିଣୀ, ନଳିନରୁ ନଳିନୀ, ସରୋଜରୁ ସରୋଜିନୀ, ପଦ୍ମରୁ ପଦ୍ମିନୀ, କମଳରୁ କମଳିନୀ ଇତ୍ୟାଦି।
ମରଦ ପାଇପି ତୁଠ ଅଲଗା ଥାଏ। ଯଦି ପାଖାପାଖି ଥାଏ ମଝିରେ ବାଡ ପଡିଥାଏ। ପିଲାମାନେ ପୋଖରୀର ଏ ପାଖରୁ ସେପାଖ ପହଁରନ୍ତି। ସନ୍ତରଣ ପ୍ରତିଯୋଗିତା ହୁଏ। କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ଦୀପିଦାଣ୍ଡି ପାଖରେ ବନ୍ଧାହୁଏ। କଦଳୀ ଚୋଚରା ଭାସେ। ସେସବୁ ଶଢିଲା ପରେ ମାଛ, ଗେଣ୍ଡା, ଶାମୁକାଙ୍କର ଖାଦ୍ୟ ପାଲଟେ। ଶୀତଦିନେ ପିଲାମାନଙ୍କର ଘଣ୍ଟା ଘଣ୍ଟା ପୋଖରୀ ତୁଠରେ ବିତେ। ପାଣିକି ଡରି ବସିଥାନ୍ତି। ଠେଲାପେଲା ହୁଅନ୍ତି। ଆଉ ଖରାଦିନେ ପିଲାମାନେ ଗଛଡାଳରୁ ପୋଖରୀକୁ ଡିଅଁନ୍ତି। ଗାଁ ପୋଖରୀ ଅସନା ଲାଗେନି। ସେ ତ ଗଙ୍ଗା ପରି ପବିତ୍ର। କଥାରେ ଅଛି ମନ ସଫା ଥିଲେ ଗାଡ଼ିଆ ଗଙ୍ଗା।
ତେବେ ପୋଖରୀ ତୁଠର ଗୋଟିଏ ବିଶେଷତ୍ୱ ହେଉଛି ଏହା ଥିଲା ମାଇପିମାନଙ୍କର ଦୁଃଖସୁଖ ବାଣ୍ଟିବା ସ୍ଥାନ। କହା ପୁଅ କେଉଁଠି ପାଠ ପଢ଼ିଲା, କାହା ଝିଅ ବାହାଘର ପାଇଁ ବରଖୋଜା ଚାଲିଛି, କାହାଘରେ କ’ଣ ରୋଷେଇ ହୋଇଛି, କାହା ଶାଶୁ ବୋହୂକୁ ଦେଖିପାରୁନି, କାହା ମରଦଟା ଅଣପୁରୁଷା, କିଏ କାହାକୁ ଭଲ ପାଉଛି ଇତ୍ୟାଦି ଗପର ପେଡ଼ି ଏମିତି ଲମ୍ବିଚାଲେ ଯେ, ଘରୁ ଡାକରା ଆସିଲେ ଯାଇ ବନ୍ଦ ହୁଏ। ବନ୍ଦ ତ ହୁଏ ନାହିଁ ବରଂ ସ୍ଥଗିତ ରହେ ପରଦିନ ଗାଧୁଆବେଳ ପର୍ଯ୍ୟନ୍ତ। ବେଳେବେଳେ ଏଇ ପୋଖରୀ ତୁଠରେ ହିଁ ଗାଁ କଳି ମେଣ୍ଟେ। ସନ୍ଧ୍ୟାବେଳେ ଥଣ୍ଡା ହାଓ୍ବା ଖାଇବାକୁ ପୋଖରୀ ତୁଠ ନିକଟରେ ଥିବା ଚଉରାର ଚାନ୍ଦିନୀ ଉପରେ ଆସି ଲୋକେ ବସନ୍ତି। ସେଇଠି ନିଶାପ ହୁଏ ଓ ପରସ୍ପର ଭିତରେ ଥିବା ବିବାଦର ମୀମାଂସା ହୁଏ।
ତୁଠରୁ ଦୂରରେ ଗୋଟିଏ ମୁଣ୍ଡରେ ନଳିତା ବିଡା ବାନ୍ଧି ପକେଇ ଦିଆଯାଏ। ଶଢିଗଲେ ତାକୁ ଖରାରେ ଶୁଖାଇ ଦିଆଯାଏ। ଶୁଖିଗଲେ ଝୋଟ ଓ କାଉଁରିଆ କାଠି ବାହାର କରାଯାଏ। ଝୋଟରେ ଦଉଡ଼ି ଇତ୍ୟାଦି ତିଆରି ହୁଏ ଏବଂ କାଉଁରିଆ କାଠି ବଡ଼ବଡ଼ୁଆ ଡକା ବେଳେ ଦରକାର ହୁଏ। ଜାଳ ଭାବେ ମଧ୍ୟ ବ୍ୟବହାର ହୁଏ। ଗାଧୋଇବା ପରେ ଗାଧୁଆତୁଠ ଚଉରାରେ ପାଣି ଦେଲେ କୋଟି ପୁଣ୍ୟ ମିଳେ। ତୁଳସୀମୂଳ ମାଟି ମୁଣ୍ଡରେ ତିଳକ କଲେ ଦେହ, ମନ ଶୁଦ୍ଧ ହୋଇଯାଏ। ପୋଖରୀ କୂଳରେ ଥିବା ବର, ଅଶ୍ୱତ୍ଥ, ଅଁଳା, ସାହାଡା ଗଛ ମୂଳରେ ଦିଅଁ ଦେବତା ଥାଆନ୍ତି। ପୂର୍ଣ୍ଣିମା, ସଂକ୍ରାନ୍ତି ଆଦି ପର୍ବଦିବସରେ ଗଛମୂଳରେ ମା’ମାନଙ୍କର ଭିଡ ଜମେ। ପରିବାରର କଲ୍ୟାଣ ପାଇଁ ଚୁଆଚନ୍ଦନ, କଜ୍ଜ୍ୱଳ, ସିନ୍ଦୂର ଲଗାଇ ଧୂପଦୀପ ଦିଅନ୍ତି। ସେହି ପୋଖରୀ ପାଣି ଗାଧୋଇବା, ରୋଷେଇ କରିବା (ଯେଉଁଠି କୂଅପାଣିର ଅଭାବ ବା କୂଅପାଣି ଲୁଣିଆ ଓ ଖର), ଦିଅଁ ଦେବତା ପୂଜା ପ୍ରତ୍ୟେକ କାମରେ ଲାଗେ। ରାତି ପାହିବା ପୂର୍ବରୁ ରାତି ହେବାଯାଏ ସବୁବେଳେ ଗହଳି। ହେଲେ ରାତି ଅଧରେ ସେଇ ତୁଠ ଦେଇ ଗାଁକୁ ଫେରିଲା ବେଳେ ଡର ଲାଗେ। ଭୂତ ପ୍ରେତ ଡର। ବସା ବାନ୍ଧିଥିବା ପକ୍ଷୀଟି ଡେଣା ଝାଡିଦେଲେ ଛାତି ଧଡ଼ପଡ଼ ହୁଏ। ଖରାଦିନେ କମ୍‌ ପାଣି। ବର୍ଷାଦିନେ ଅଧିକ। ମା’ମାନେ ପିଲାଙ୍କୁ ଡରେଇ ଥା’ନ୍ତି। ଏକୁଟିଆ ପୋଖରୀକୁ ଯିବୁନି। କୁମ୍ଭୀର ନେଇଯିବ।
ଭେଣ୍ଡିଆ ଟୋକାମାନେ ପୋଖରୀରୁ କଇଁଫୁଲ ତୋଳି ଖୁଦୁରୁକୁଣୀ ଓଷା କରୁଥିବା ଝିଅମାନଙ୍କୁ ଦେଉଥିଲେ। ଗାଁ ପୋଖରୀ ଥିଲା ବିସର୍ଜନର ସ୍ଥଳ। ଏଠାରେ ଗଣେଶ, ସରସ୍ବତୀ, ମଙ୍ଗଳା ମୂର୍ତ୍ତି ବିସର୍ଜନ କରାଯାଏ। ସେଦିନର ପୋଖରୀ ତୁଠ ଓ ସ୍ନାନଶୌଚର ରଙ୍ଗଢଙ୍ଗ ବଦଳି ଗଲାଣି। ଏବେ ଘରେ ଘରେ ପାଇଖାନା। କୂଅ, ନଳକୂଅ ସଂଖ୍ୟା ବଢିଲାଣି। ପାଇପରେ ଗାଁକୁ ପାଣି ଯୋଗାଇ ଦିଆଗଲାଣି। ସେଦିନର ପୋଖରୀର ଆବଶ୍ୟକତାରେ ପରିବର୍ତ୍ତନ ଆସିଚି। ସେଦିନର ପୋଖରୀ ତୁଠରେ ଗପସପ ଦେଖିବାକୁ ମିଳୁନି। ସରକାରଙ୍କ ଦୟାରୁ ଅନେକ ଗାଁ ପୋଖରୀ ଏବେ ସଫାସୁତୁରା। କିନ୍ତୁ ଅଧିକାଂଶ ଅବ୍ୟବହୃତ ପୋଖରୀରେ ବୋଳଝାଞ୍ଜି ଓ କଲିକତି ଦଳ ଭର୍ତ୍ତି ହୋଇ ମଶାମାନଙ୍କ ପ୍ରଜନନ କେନ୍ଦ୍ରରେ ପରିଣତ ହୋଇଛି। ଆଗରୁ ଗାଁ ପୋଖରୀରେ ପ୍ରାୟତଃ ମାଛଚାଷ ହେଉ ନ ଥିଲା। ତଥାପି ପୋଖରୀରେ ମାଛ ରହୁଥିଲେ। ଖରାଦିନେ ପାଣି କମିଗଲା ପରେ ମାଛ ଧରି ଗାଁ ଲୋକେ ବାଣ୍ଟି ନେଉଥିଲେ। ବଳକା ହେଲେ ବିକ୍ରି କରି ସେ ପଇସା କୋଠରେ ରଖୁଥିଲେ। ଏବେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ପୋଖରୀରେ ମାଛଚାଷ କରୁଛନ୍ତି। ଲାଭାଂଶକୁ ବାଣ୍ଟି ନେଉଛନ୍ତି। ଗାଁ ବଦଳିଛି। ବଦଳିଛି ପୋଖରୀ, ପୋଖରୀ ତୁଠ। ସବୁଠି ସଭ୍ୟତାର ନୂଆ ରୂପ। ହେଲେ ଯେଉଁ ପୋଖରୀ ତୁଠ ଦିନେ ଥିଲା ସ୍ନେହ, ଶ୍ରଦ୍ଧା, ଭଲପାଇବାର ପବିତ୍ର ସ୍ଥାନ, ତାହା ଆଜି ବଦଳିଯାଇଛି।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା’ ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

ନୀତିଗତ ତ୍ରୁଟି

ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌…

ଏଇ ଭାରତରେ

ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri