Categories: ଖେଳ

ପେସ୍‌-ରେହା ଭରଣପୋଷଣ ମାମଲା: ଫ୍ୟାମିଲି କୋର୍ଟକୁ ବର୍ଷେ ସମୟ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୩ା୭(ପି.ଟି.):
ଭେଟେରାନ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ ଓ ତାଙ୍କ ପୂର୍ବତନ ଲିଭ୍‌-ଇନ୍‌ ପାର୍ଟନର ରେହା ପିଲାଇଙ୍କ ଭରଣପୋଷଣ ମାମଲା ଆଗାମୀ ୧ ବର୍ଷ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ସୋମବାର ଫ୍ୟାମିଲି କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଫ୍ୟାମିଲି କୋର୍ଟ ବିଚାରପତି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏହି ମାମଲାର ପ୍ରୋସିଡିଂ ଶେଷ କରିବା ପାଇଁ ଅଧିକ ସମୟ ଦେବାକୁ ଚିଠି ଲେଖିଥିଲେ। ଜଷ୍ଟିସ ୟୁ ୟୁ ଲଳିତ ଏବଂ ଭିନିତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜୁନ୍‌ ୨୦୧୮ରେ ମାମଲା ଶେଷ କରିବାକୁ ଗୋଟିଏ ବର୍ଷ ସମୟ ଦେଇଥିଲେ। ତେବେ ପୁନର୍ବାର ସୁପ୍ରିମକୋର୍ଟ ଫ୍ୟାମିଲି କୋର୍ଟଙ୍କୁ ଦ୍ୱିତୀୟ ଥର ପ୍ରୋସିଡିଂ ଶେଷ କରିବା ପାଇଁ ସମୟ ବୃଦ୍ଧି କରିଛନ୍ତି। ଗତବର୍ଷ ମାର୍ଚ୍ଚ ୧୬ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିବା ପାଇଁ ଫ୍ୟାମିଲି କୋର୍ଟଙ୍କୁ ୩ ମାସ ସମୟ ଦେଇଥିଲେ। ମାତ୍ର ଏହି ସମୟ ମଧ୍ୟରେ ଉକ୍ତ ମାମଲାର ବିଚାର ଶେଷ ହୋଇପାରି ନ ଥିଲା। ୨୦୧୪ରୁ ଏହି ଦମ୍ପତି ଭରଣପୋଷଣ ଏବଂ ଝିଅକୁ ନେବା ଲାଗି ଆଇନର ସହାୟତା ନେଇଥିଲେ। ଅନ୍ୟପକ୍ଷରେ ପିଲାଇ ପେସ୍‌ ଓ ତାଙ୍କ ବାପାଙ୍କ ବିରୋଧରେ ଘରୋଇ ହିଂସା ଏବଂ ଉତ୍ପୀଡ଼ନ ମାମଲା ଦାଏର କରିଥିଲେ। ସୁପ୍ରିମକୋର୍ଟ ଉଭୟଙ୍କୁ ସେମାନଙ୍କ ମଧ୍ୟରେ ରହିଥିବା ବିବାଦର ଆପୋଷ ବୁଝାମଣା କରିବା ଲାଗି ୬ ମାସ ସମୟ ଦେଇଥିଲେ। ମାତ୍ର ଏହା ମଧ୍ୟରେ ଏହି ଦମ୍ପତିଙ୍କ ମଧ୍ୟରେ ବୁଝାମଣା ନ ହେବାରୁ ୨୦୧୭ ଜୁଲାଇ ୧୮ତାରିଖରେ ସୁପ୍ରିମକୋର୍ଟ ମାମଲାକୁ ଫ୍ୟାମିଲି କୋର୍ଟଙ୍କୁ ହସ୍ତାନ୍ତର କରିଥିଲେ।

Share