Categories: ଖେଳ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ ଖୋ: ଉତ୍କଳ ବିଶ୍ୱବିଦ୍ୟାଳୟକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)-ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛି। ଫଳରେ ଦଳ ସର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟତା ହାସଲ କରିଛି। ଲିଗ ମ୍ୟାଚରେ ଉତ୍କଳ ବିଶ୍ୱବିଦ୍ୟାଳୟ ଭି ବିଏସ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟକୁ ୧ ଇନିଂସ ୧ ପଏଣ୍ଟରେ ହରାଇ ଥିବାବେଳେ କିଟ୍‌ ବିଶ୍ୱବିଦ୍ୟାଳୟ ଓ ଆୟୋଜକ କଲ୍ୟାଣୀ ବିଶ୍ୱବିଦ୍ୟାଳୟଠାରୁ ଯଥାକ୍ରମେ ୫ ଓ ୩ ପଏଣ୍ଟ ରେ ପରାସ୍ତ ହୋଇ ତୃତୀୟ ସ୍ଥାନ ଲାଭ କରିଛି। ପୂର୍ବରୁ ଏକ ଗ୍ରୁପ ଫାଇନାଲ ମ୍ୟାଚରେ ଉତ୍କଳ ପଶ୍ଚିମବଙ୍ଗର ବିଦ୍ୟାସାଗର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଲାଭ କରିଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ୱ କରିଥିବା ଖେଳାଳି ମାନେ ହେଲେ ସସ୍ମିତା ନାଥଶର୍ମା, ରୂପାଲୀ ସୂତାର, ଶ୍ରଦ୍ଧାଞ୍ଜଳି ସାହୁ, ତୃପ୍ତିମୟୀ ସେନାପତି, ଜୟଶ୍ରୀ ବଳ, ଅନୁରାଧା ରଣା, ମଧୁସ୍ମିତା ଓଝା, ପ୍ରତିମା ମଲିକ, ରଶ୍ମିତା ଭୋଇ, ସୋନିଆ ସ୍ବାଇଁ, ପିଙ୍କି ସ୍ବାଇଁ , ରୂପାଲୀ ପ୍ରଧାନ। ମ୍ୟାନେଜର: ରବି ନାରାୟଣ ପ୍ରଧାନ, କୋଚ୍‌: ଚିନ୍ତାମଣି ପ୍ରଧାନ, ସହକାରୀ କୋଚ :ସସ୍ମିତା ଓଝା। ଏହି ସଫଳତା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର କୁମାର ପଟ୍ଟନାୟକ, କୁଳସଚିବ ଦୟାନିଧି ନାୟକ ଓ କ୍ରୀଡା ପରିଷଦର ନିର୍ଦ୍ଦେଶକ ପ୍ରଫେସର ମହେଶ୍ୱର ସାହୁ ମହିଳା ଖୋ-ଖୋ ଦଳକୁ ଶୁଭେଚ୍ଛା ଜଣାଇଛନ୍ତ।

Share