Categories: ଖେଳ

ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂ ହେଲେ କ୍ରୀଡ଼ାମନ୍ତ୍ରୀ

ଚଣ୍ଡିଗଡ଼, ୧୬ା୧୧- ଭାରତର ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂ ହରିୟାଣା ରାଜ୍ୟର କ୍ରୀଡ଼ାମନ୍ତ୍ରୀ ହୋଇଛନ୍ତି। ଗୁରୁବାର ସେ ରାଜ୍ୟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିଲେ॥ ଶୁକ୍ରବାର ତାଙ୍କୁ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ସନ୍ଦୀପ ଗତ ବିଧାନସଭା ନିର୍ବାଚନରେ ପେହୋଓ୍ବା ଆସନରୁ ଭାଜପାରୁ ପାର୍ଥି ହୋଇ ବିଜୟ ଲାଭ କରିଥିଲେ। ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇଛି। ସଂଘର୍ଷପୂର୍ଣ୍ଣ ଜୀବନ ଏବଂ ଆଘାତଜନିତ ସମସ୍ୟା ସତ୍ତ୍ୱେ ସନ୍ଦୀପ ହକିରେ ତାଙ୍କ ପାରଦର୍ଶିତା ଦେଖାଇ ଅନ୍ୟପାଇଁ ଆଦର୍ଶ ପାଲଟିଛନ୍ତି। ସେ ୨୦୦୪ରେ ସୁଲ୍‌ତାନ ଆଜଲାନ ଶାହ କପ୍‌ ହକି ପ୍ରତିଯୋଗିତାରେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତର ଜଣେ ପ୍ରମୁଖ ଡ୍ରାଗ୍‌ ଫ୍ଲିକର ବିବେଚିତ ହେବା ପରେ ୨୦୦୯ରେ ଅଧିନାୟକ ମନୋନୀତ ହୋଇଥିଲେ। ସନ୍ଦୀପଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୯ରେ ଆୟୋଜକ ମାଲେସିଆକୁ ପରାସ୍ତ କରି ସୁଲ୍‌ତାନ ଆଜଲାନ ଶାହ କପ୍‌ ହକି ଚାମ୍ପିୟନ ହୋଇଥିଲା। ଦୀର୍ଘ ୧୨ବର୍ଷର ପ୍ରତୀକ୍ଷା ପରେ ଭାରତ ଏହି ସଫଳତା ହାସଲ କରିଥିଲା। ସେ ୨୦୧୦ରେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ।

Share