Categories: ଖେଳ

ପୂର୍ବତନ ଅଲରାଉଣ୍ଡର ନାଦକର୍ନୀଙ୍କ ପରଲୋକ

ମୁମ୍ବାଇ, ୧୮ା୧ (ପି.ଟି.)-ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀଙ୍କ ଶୁକ୍ରବାର ପରଲୋକ ଘଟିଛି। ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ରେକର୍ଡ କ୍ରମାଗତ ୨୧ ଓଭର ମେଡେନ ଓଭର ବୋଲିଂ ପାଇଁ ସେ ବିଶେଷ ଭାବେ ପରିଚିତ। ନାଦକର୍ନୀଙ୍କୁ ୮୬ ବର୍ଷ ହୋଇଥିଲା। ସେ ତାଙ୍କ ପତ୍ନୀ ଏବଂ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ତାଙ୍କର ଦେହାନ୍ତ ଘଟିଛି। ନାଦକର୍ନୀ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ରକ୍ଷଣଶୀଳ ମନ୍ଥର ଗତି ବୋଲର ଥିଲେ। ସେ ଦେଶ ତରଫରୁ ୪୧ ଟେଷ୍ଟ ମ୍ୟାଚ ଖେଳି ୧୪୧୪ ରନ ସଂଗ୍ରହ କରିବା ସହ ୮୮ ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ଶ୍ରେଷ୍ଠ ବୋଲିଂ ଫିଗର ୬/୪୩ ରହିଛି। ମୁମ୍ବାଇ ଓ ମହାରାଷ୍ଟ୍ରର ଜଣେ ଷ୍ଟଲଓ୍ବାର୍ଟ କ୍ରିକେଟର ଥିଲେ। ସେ ୧୯୧ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫୦୦ ଉଇକେଟ ନେଇଥିଲେ। ସେ ୮୮୮୦ ରନ ସଂଗ୍ରହ କରିଥିଲେ। ନାସିକ୍‌ରେ ଜନ୍ମ ଗ୍ରହଣ କରିଥିବା ନାଦକର୍ନୀ ୧୯୫୫ରେ ଦିଲ୍ଲୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ସେ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ ଏହି ଦେଶ ବିପକ୍ଷରେ ୧୯୬୮ରେ ଅକ୍‌ଲାଣ୍ଡଠାରେ ଖେଳିଥିଲେ। ମନସୁର ଅଲ୍ଲୀ ଖାଁ ପଟୌଦି ତାଙ୍କର ଅଧିନାୟକ ଥିଲେ। ନାଦକର୍ନୀ ଖୁବ୍‌ ଟାଇଟ୍‌ ବୋଲିଂ କରୁଥିଲେ। ଗୋଟିଏ ମ୍ୟାଚରେ ସେ କ୍ରମାଗତ ୨୧ ଓଭର ମେଡେନ ପକାଇଥିଲେ। ସେତେବେଳେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ତାଙ୍କ ବୋଲିଂ ଫିଗର ଥିଲା ୩୨-୨୭-୫-୦। ସେ ୧୯୬୦-୬୧ରେ ପାକିସ୍ତାନ ବିପକ୍ଷ ସିରିଜରେ ଚମତ୍କାର ବୋଲିଂ କରିଥିଲେ। କାନପୁରଠାରେ ତାଙ୍କ ବୋଲିଂ ଫିଗର ୩୨-୨୪-୨୩-୦ ଏବଂ ପରେ ଦିଲ୍ଲୀଠାରେ ୩୪-୨୪-୨୪-୧ ରହିଥିଲା। ନାଦକର୍ନୀଙ୍କ ବିୟୋଗରେ କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର ଓ ସଚିନ ତେନ୍ଦୁଲକର,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଏନସିପି ସଭାପତି ଶରଦ ପାଓ୍ବାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Share