ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଘଟଣା: ୩ ଗିରଫ

ପୁରୀ ଅଫିସ, ୧୮ା୨: ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ମଙ୍ଗଳବାର କୁମ୍ଭାରପଡ଼ା ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିସାହିର ଆନନ୍ଦ ସାହୁ (୨୫), କାଳିକାଦେବୀ ସାହିର ଆଲୋକ ସାହୁ (୨୫) ଏବଂ ରାଜା ସ୍ବାଇଁ (୨୫)। ଛାତ୍ର କଂଗ୍ରେସ ନେତା ସ୍ବପ୍ନଜିତ ରାୟଙ୍କ ଅଭିଯୋଗ କ୍ରମେ ପୋଲିସ ଏକ କେସ୍‌ (ନଂ. ୫୫/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ସୋମବାର ପୁରୀ ଜିଲାର ସାଙ୍ଗଠନିକ କାର୍ଯକ୍ରମ ସମ୍ପର୍କରେ ଆଲୋଚନା ଲାଗି ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଯୋଗଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ପ୍ରମୁଖ ଶୋଭାଯାତ୍ରାରେ ଇନ୍ଦିରା ଭବନକୁ ପ୍ରବେଶ କରୁଥିଲେ। ଏହି ସମୟରେ ଭବନ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଯୁବନେତା ଆଲୋକ ଦାଶ, ଛାତ୍ରନେତା ଆଶୁତୋଷ ମିଶ୍ର ଓ ସ୍ପପ୍ନଜିତ ରାୟ ଗୁରୁତର ଆହତ ହୋଇଥିଲେ।